ଜଗତସିଂହପୁର/ଝଙ୍କଡ଼ : ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ, କନକପୁର ଗ୍ରାମପଞ୍ଚାୟତ ଅଧିନ ତରାପୁର ଛତ୍ରମଠ ସ୍ଥିତ ଶ୍ରୀ ଶ୍ରୀ ସତ୍ୟନାରାୟଣ ମନ୍ଦିର ପାର୍ଶ୍ଵସ୍ଥ ପାଲାମଣ୍ଡପରେ ଗତ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ବାଦି ପାଲା ବିପୁଳ ଜନସମାଗମ ମଧ୍ୟରେ ଗତ ମଇମାସ ତିନି ତାରିଖ ଶନିବାର ଦିନ ଉଦଯାପିତ ହୋଇଯାଇଛି। ଏହି ସତ୍ୟନାରାୟଣ ପାଲା ଅନୁଷ୍ଠାନ ଦୀର୍ଘ ଶତାଧିକ ବର୍ଷ ଧରି ଏଠାରେ ରାଜ୍ୟର ପ୍ରଖ୍ୟାତ ପାଲାଗାୟକ ମାନଙ୍କୁ ଆମନ୍ତ୍ରଣ କରି ବାଦି ପାଲା ଅନୁଷ୍ଠିତ କରାଇ ଆସୁଥିବା ବେଳେ ଚଳିତ ବର୍ଷର କାର୍ଯ୍ୟକ୍ରମରେ ଗାୟକ ତିଳକ ବୃନ୍ଦାବନ ବାରିକ ଓ ଗାୟକ ବାଣୀକଣ୍ଠ ରବିନ୍ଦ୍ର କୁମାର ବୈରୀଶଲ୍ୟ ସେମାନଙ୍କ ସାଥୀ ମାନଙ୍କ ସହିତ ପାଲା ପରିବେଷଣ କରିଥିଲେ।
ସତ୍ୟବୀର ଦଶରଥ , ମହାଭାରତ ସମୀକ୍ଷା, ଚନ୍ଦ୍ରକେତୁ ଓ ରାମାୟଣ ସମୀକ୍ଷା ଆଦି ବିଷୟବସ୍ତୁ ଉପରେ ଆଲୋଚନା କରିଥିବା ବେଳେ, ଶାସ୍ତ୍ର ପୁରାଣ ସାଂଖ୍ୟ ଦର୍ଶନ ଦେଦ ଉପନିଷଦ ସହିତ ଛାନ୍ଦ ଚଉପଦୀ ରାଗ ରାଗିଣୀ ଓ ପ୍ରାଚୀନ ତଥା ଆଧୁନିକ କବିମାନଙ୍କ ଉକ୍ତି କୁ ଉଦ୍ଧାର କରି, ସାରସ୍ୱତ ଆସର କୁ ସରସ ସୁନ୍ଦର କରିଥିଲେ। ଅପର ପକ୍ଷରେ ସହଯୋଗୀ ପାଳିଆ ମାନଙ୍କ ଦ୍ଵାରା ପରିବେଷିତ ସଙ୍ଗୀତ ଓ ବ୍ୟଙ୍ଗ ହାସ୍ୟରସ ଉପସ୍ଥିତ ବିଦଗ୍ଧ ଦର୍ଶକ ମାନଙ୍କ ପାଇଁ ଉପଭୋଗ୍ୟ ହୋଇଥିଲା। ସତ୍ୟନାରାୟଣ ପାଲା କମିଟି ର ସମସ୍ତ କର୍ମକର୍ତ୍ତା ସଦସ୍ୟ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।