ଦାମନଯୋଡି, ୧୬/୯: କୋରାପୁଟ ଜିଲ୍ଲା ଶିଳ୍ପାଞ୍ଚଳ ନାଲକୋ ପ୍ରକଳ୍ପରେ ସ୍ଥାନୀୟ ଯୋଗ୍ୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାରେ ସଂରକ୍ଷଣ ଦାବି କରି ବିସ୍ଥାପିତ, ଜମିହରା, ପାରିପାର୍ଶ୍ବିକ ଅଞ୍ଚଳର ଯୁବକ ଯୁବତୀ ମାନେ ମିଳିତ ଭାବେ ଆଜି ସକାଳୁ ବନ୍ଦ୍ ଡାକରା ଦେଇଛନ୍ତି । ସକାଳ ୬ ଘଣ୍ଟିକା ଠାରୁ ନାଲକୋ ପରିଶୋଧନ ପ୍ରକଳ୍ପ ର ଉଭୟ ମୁଖ୍ୟ ଫାଟକ ଓ ଜରୁରୀକାଳୀନ ଫାଟକ ସମେତ ଖଣି ଅଞ୍ଚଳ ରାସ୍ତା ଅବରୋଧ କରି କର୍ମଚାରୀ ତଥା ଶ୍ରମିକ ମାନଙ୍କୁ କର୍ମକ୍ଷେତ୍ର କୁ ଯିବାକୁ ଦିଆଯାଇ ନାହିଁ ।
ତେବେ ଏହି ବନ୍ଦରେ ଦୋକାନ ବଜାର ବନ୍ଦ କରିବାକୁ ନେଇ ବ୍ୟବସାୟୀ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି । ପ୍ରକାଶ ଥାଉ କି, ବିଗତ କିଛି ପୂର୍ବେ ନାଲକୋ ରେ ନିଯୁକ୍ତି ନେଇ ସର୍ବ ଭାରତୀୟ ସ୍ତରରେ ଲିଖିତ ପରୀକ୍ଷା ହୋଇଥିବା ବେଳେ ଏବେ ପର୍ଯ୍ୟାୟ କ୍ରମେ ଚୟନ ପ୍ରକିୟା ଆରମ୍ଭ ହୋଇଛି । ଏହି ଚୟନ ପ୍ରକିୟା ରେ ଜମିହରା ବାସହରା ଓ ପାରିପାର୍ଶ୍ବିକ ଅଞ୍ଚଳ ର ଯୋଗ୍ୟ ଯୁବକ ଯୁବତୀ ମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଯାଉ ନତୁବା ମର୍କିଂ ରେ କୋହଳତା ଅବଲମ୍ବନ କରିବା ଦିଗରେ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ଯୁବକ ଯୁବତୀ ମାନେ ଦାବି କରିଛନ୍ତି ।
ଏହି ବନ୍ଦ୍ ଡାକରା ରେ ଜମିହରା/ବାସହରା ଜନମଙ୍ଗଳ ସଂଗଠନ ସମେତ ପାରିପାର୍ଶ୍ବିକ ଅଞ୍ଚଳର ଶହ ଶହ ଯୁବକ ଯୁବତୀ ସାମିଲ ହୋଇଥିଲେ । ଆସୁ ଅପ୍ରୀତିକର ପରିସ୍ଥିତି କୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ ରହିଥିବା ବେଳେ କୌଣସି ଅପ୍ରୀତିକର ଘଟଣା ଘଟି ନାହିଁ ।
