ଜଟଣୀ,୩୦/୯: ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ )୨୦୨୩ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ ଏଥିରେ ଖୋର୍ଦ୍ଧା ମୁକୁନ୍ଦ ପ୍ରସାଦର ଝିଅ ଶ୍ରଦ୍ଧା ସୁମନ ୧୯୧ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି।୨୦୨୧ରୁ ସୁନ୍ଦରଗଡ଼ ଜିଲ୍ଲାରେ ରାଜସ୍ୱ ନିରୀକ୍ଷକ ଭାବେ କାର୍ଯ୍ୟରତ ଥିବା ସୁମନ ୨୦୧୭ ମସିହାରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ପିଜି କରିବା ପରେ ଏହି ପ୍ରବେଶିକା ପରୀକ୍ଷା ପାଇଁ ଚେଷ୍ଟା ଚଳାଇଥିଲେ। ବାରମ୍ବାର ବିଫଳ ହେବା ସତ୍ୱେ ସେ ହାର ନମାନି ନିଜ ଲକ୍ଷ ସ୍ଥଳରେ ପହଂଚିବା ପାଇଁ ଚେଷ୍ଟା ଜାରି ରଖିଥିଲେ। ତେବେ ୨୦୨୩ରେ ନିଜର ଷଷ୍ଠ ପ୍ରଚେଷ୍ଟାରେ ପ୍ରଥମ ଥର ପାଇଁ ସାକ୍ଷାତକାର ପର୍ଯ୍ୟନ୍ତ ଯାଇ ଏଥିରେ ସଫଳ ହୋଇଥିଲେ।ମଣିଷ କିପରି ଚେଷ୍ଟା କଲେ ନିଜ ଅଧ୍ୟବସାୟ ବଳରେ ସବୁ କିଛି ସମ୍ଭବ କରିପାରେ ତାହାର ଉଦାହରଣ ହୋଇ ଯାଇଛନ୍ତି ଶ୍ରଦ୍ଧା ସୁମନ। ଖୋର୍ଦ୍ଧା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ୨୦୧୦ ମସିହାରେ ମାଟ୍ରିକ ପାସ କରିବା ପରେ ୨୦୧୨ରେ ପ୍ରାଣନାଥ ମହାବିଦ୍ୟାଳୟରୁ ପ୍ରଥମେ +୨ ଏବଂ ୨୦୧୫ରେ ସ୍ନାତକ ଶିକ୍ଷା ହାସଲ କରିଥିଲେ। ନିଜ ସଫଳତା ପାଇଁ ସେ ସମସ୍ତ ଶ୍ରେୟ ନିଜର ପିତା ମାତା, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସର୍ବୋପରି ଭଗବାନଙ୍କୁ ଦେଇଛନ୍ତି। ଦଶମ ଶ୍ରେଣୀରୁ ସେ ଏହି ସେବା ପରୀକ୍ଷା ପାଇଁ ଆଶାୟୀ ଥିଲେ। ପରୀକ୍ଷା ପାଇଁ ସେ ପ୍ରବେଶିକା ପୁସ୍ତକ ଏବଂ ଅନଲାଇନ କ୍ଲାସ ମାଧ୍ୟମରେ ତାଲିମ ପାଇଥିଲେ। ତାଙ୍କର ଏହି ସଫଳତା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ବନ୍ଧୁ ବାନ୍ଧବଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟୁଛି। ସୁମନଙ୍କ ମାତା ସବିତା ଜେନା ଜଣେ ଗୃହିଣୀ ହୋଇଥିବା ବେଳେ ବାପା ସନତ କୁମାର ଜେନା ଜଣେ କୃଷକ ଅଟନ୍ତି। ଝିଅର ଏହି ସଫଳତା ପାଇଁ ସେମାନେ ନିଜକୁ ଗର୍ବିତ ଅନୁଭବ କରୁଛନ୍ତି।
