ଜାତୀୟ ଶିକ୍ଷାନୀତି ଭାରତକୁ ଜ୍ଞାନର ବିଶ୍ୱଶକ୍ତିରେ ପରିଣତ କରିବ: ମୁଖ୍ୟମନ୍ତ୍ରୀ

ଜିଲା ଖବର ପୁରୀ ଭୁବନେଶ୍ୱର ରାଜ୍ୟ
Spread the love

ପୁରୀ, ୧୩/୧୦: ଜାତୀୟ ଶିକ୍ଷାନୀତି ୨୦୨୦ ହେଉଛି ଏକବିଂଶ ଶତାବ୍ଦୀର ପ୍ରଥମ ଶିକ୍ଷାନୀତି, ଯାହା ଆମ ଦେଶର ବିକାଶମୂଳକ ଆବଶ୍ୟକତାକୁ ସମାଧାନ କରିବାର ଲକ୍ଷ୍ୟ ରଖିଛି। ଏହା ଭାରତକୁ ଜ୍ଞାନର ବିଶ୍ଵଶକ୍ତିରେ ପରିଣତ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସୋମବାର ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟଠାରେ ଆୟୋଜିତ ଜାତୀୟୟ ଶିକ୍ଷାନୀତି ୨୦୨୦ ସନ୍ଦର୍ଭରେ ‘ଭାରତୀୟ ଜ୍ଞାନ ପରମ୍ପରା’ ସମ୍ପର୍କିତ ଆଲୋଚନା ଚକ୍ରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଥିଲେ।ମୁଖ୍ୟମନ୍ତ୍ରୀ କହିଥିଲେ, ଜାତୀୟ ଶିକ୍ଷାନୀତି ପ୍ରତ୍ୟେକ ବ୍ୟକ୍ତିର ସୃଜନଶୀଳ ସାମର୍ଥ୍ୟର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଇଛି। ଶିକ୍ଷାନୀତି ଏହି ସିଦ୍ଧାନ୍ତ ଉପରେ ଆଧାରିତ ଯେ, ଶିକ୍ଷା କେବଳ ଜ୍ଞାନଗତ କ୍ଷମତାର ବିକାଶ ନୁହେଁ – ସ୍ୱାକ୍ଷରତା ଏବଂ ସଂଖ୍ୟାଗତ ଦକ୍ଷତାର “ମୌଳିକ ସାମର୍ଥ୍ୟ” ଏବଂ ବିଶ୍ଳେଷଣାତ୍ମକ ଚିନ୍ତନ। ଏହି ରାଷ୍ଟ୍ରୀୟ ଶିକ୍ଷାନୀତି ଭାରତୀୟ ଲୋକାଚାର ଉପରେ ଆଧାରିତ ଏକ ଶିକ୍ଷା ବ୍ୟବସ୍ଥା ଉପରେ ପର୍ଯ୍ୟବସିତ, ଯାହାକି ଭାରତକୁ ରୂପାନ୍ତର କରିବାରେ ସିଧାସଳଖ ଅବଦାନ ଦେବ। ଅର୍ଥାତ ଏକ ସମାନତା ଓ ଉତ୍ସାହୀ ଜ୍ଞାନଭିତ୍ତିକ ସମାଜରେ ସମସ୍ତଙ୍କୁ ଉଚ୍ଚ ଗୁଣାତ୍ମକମାନର ଶିକ୍ଷା ପ୍ରଦାନ କରି ଭାରତକୁ ଜ୍ଞାନର ଏକ ବିଶ୍ୱ ଶକ୍ତିରେ ପରିଣତ କରିବ।

ମୁଖ୍ୟମନ୍ତ୍ରୀ ଯୁବବର୍ଗକୁ ଭାରତୀୟ ଜ୍ଞାନ ପରମ୍ପରା, ସଂସ୍କୃତି ଓ ଗୌରବମୟ ଇତିହାସ ସହ ପରିଚିତ କରାଇବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ସେ କହିଥିଲେ, ଭାରତ ଏକ ଏଭଳି ଦେଶ ଯାହା ବିଦେଶୀ ଆକ୍ରମଣ ସତ୍ତ୍ୱେ ମଧ୍ୟ ନିଜର ଆଦି ଜ୍ଞାନ ଓ ସଂସ୍କୃତିକୁ ଅବିକଳ ରଖିଛି। ଏହି ଐତିହ୍ୟକୁ ସୁରକ୍ଷିତ ଓ ସକ୍ରିୟ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ।ମୁଖ୍ୟମନ୍ତ୍ରୀ କହିଥିଲେ, ଶିକ୍ଷା ବ୍ୟବସ୍ଥାର ମୂଳ ଉଦ୍ଦେଶ୍ୟ ହେଉଛି ଉତ୍ତମ ମଣିଷ ସୃଷ୍ଟି କରିବା, ଯାହାଠାରୁ ଯୁକ୍ତିପୂର୍ଣ୍ଣ ଚିନ୍ତନ, ଦୟା ଓ ସହାନୁଭୂତି, ସାହସ ଓ ସ୍ଥିରତା, ବୈଜ୍ଞାନିକ ଭାବଧାରା, ସୃଜନଶୀଳ କଳ୍ପନା ଏବଂ ନୈତିକ ମୂଲ୍ୟବୋଧର ବିକାଶ ହେବ । ଶିକ୍ଷାନୀତି ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସଂବିଧାନିକ ମୂଲ୍ୟବୋଧ ଏବଂ ଦେଶପ୍ରେମର ଭାବନା ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ଶିକ୍ଷା କେବଳ ନିଜ ସ୍ୱାର୍ଥ ପାଇଁ ନୁହେଁ, ବରଂ ସମସ୍ତଙ୍କ ହିତ ଏବଂ ସମାଜ କଲ୍ୟାଣ ପାଇଁ ଅଟେ। ଏହା ହେଉଛି ଭାରତୀୟ ଜ୍ଞାନ ପରମ୍ପରାର ମୂଳମନ୍ତ୍ର।

Leave a Reply

Your email address will not be published. Required fields are marked *