ତାମିଲନାଡ଼ୁରେ ଭୀଷଣ ବର୍ଷା, ବନ୍ୟା, ୩ ମୃତ, ୧୦ ଜିଲ୍ଲାରେ ରେଡ୍‌ଆଲର୍ଟ

ଦେଶବିଦେଶ
Spread the love

ଚେନ୍ନାଇ, ୧/୧୨: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଦିତ୍‌ୱାହ’ ଆଜି ସନ୍ଧ୍ୟାରେ ତାମିଲନାଡୁ ଓ ପୁଡୁଚେରୀ ତଟରେ ପହଞ୍ଚିବା ସହ ସମଗ୍ର ରାଜ୍ୟରେ ଭୀଷଣ ବର୍ଷା ଜାରି ରହିଛି। ଘଣ୍ଟାକୁ ୬୦-୭୦ କିଲୋମିଟର ବେଗର ପବନ ସହ ଲଗାଣ ବର୍ଷା ଜଟିଳ ସ୍ଥିତି ସୃଷ୍ଟି କରିଛି। ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତାକାଲି ମଧ୍ୟ ଚେନ୍ନାଇ, କୁଡ଼ଲୁର୍, ଭିଲୁପୁରମ୍, ନାଗାପଟ୍ଟିନମ୍, ଥଞ୍ଜାଭୂର, ତିରୁଭାରୁର୍, ମୟିଲାଦୁଥୁରାଇ, ରାମନାଥପୁରମ୍, ପୁଦୁକ୍କୋଟ୍ଟାଇ ଓ ତୁତିକୁଡ଼ିରେ ଅତି ପ୍ରବଳ ବର୍ଷା ଲାଗି ରହିଛି। ଏହି ୧୦ଟି ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି ଏବଂ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ୨୫ ସେଣ୍ଟିମିଟରରୁ ଅଧିକ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଏସବୁ ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି ହୋଇଛି। ଏପର୍ଯ୍ୟନ୍ତ ରାଜ୍ୟରେ ବର୍ଷାଜନିତ କାରଣରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ଥଞ୍ଜାଭୁର୍‌ ଓ ତୁତିକୁଡ଼ିରେ ଦୁଇଜଣ ଘର ଭୁଶୁଡ଼ି ପଡ଼ିବାରୁ ପ୍ରାଣ ହରାଇଥିବା ବେଳେ ମୟିଲାଦୁଥୁରାଇରେ ଜଣେ ୨୦ ବର୍ଷୀୟ ଯୁବକ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି। ପ୍ରାୟ ୨ ଶହ ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୫୭,୦୦୦ ହେକ୍ଟର ଧାନ ଖେତ ନଷ୍ଟ ହୋଇଛି। ଚେନ୍ନାଇର ଅନେକ ରାସ୍ତା ଓ ନିମ୍ନାଞ୍ଚଳ ଜଳମଗ୍ନ ହେବାରୁ ସାଂଘାତିକ ସ୍ଥିତି ଉପୁଜିଛି। ସମସ୍ତ ସ୍କୁଲ୍ ଓ କଲେଜ ବନ୍ଦ ରହିଛି। ୬,୦୦୦ରୁ ଅଧିକ ଆଶ୍ରୟ ଶିବିର ଖୋଲାଯାଇଛି। ଏନ୍‌ଡିଆରଏଫ୍‌ର ୫ଟି ଦଳ (୧୫୦ ଜଣ) ଚେନ୍ନାଇ ଓ ଭିଲୁପୁରମ୍‌୍‌ରେ ମୁତୟନ ହୋଇଛନ୍ତି। ଚେନ୍ନାଇ ବିମାନବନ୍ଦରରୁ ୪୭ଟି ବିମାନ (୩୬ ଘରୋଇ, ୧୧ ଆନ୍ତର୍ଜାତୀୟ) ରଦ୍ଦ ହୋଇଥିବା ବେଳେ ଦକ୍ଷିଣ ରେଲୱେ ନିୟନ୍ତ୍ରଣ କକ୍ଷ ଖୋଲି ଯାତ୍ରୀଙ୍କ ପାଇଁ ଜରୁରୀ ସେବା ଜାରି ରଖିଛି।

Leave a Reply

Your email address will not be published. Required fields are marked *