୪ବର୍ଷ ହେଲା ଶୌଚାଳୟରେ ବିତୁଛି ଜୀବନ

ରାଜ୍ୟ ସୁନ୍ଦରଗଡ଼
Spread the love

ରାଉରକେଲା, ୧୧/୧୨: ରାଉରକେଲା ମହାନଗର ନିଗମ ପକ୍ଷରୁ ସର୍ବସାଧାରଣ ତଥା ବସ୍ତିବାସିନ୍ଦାଙ୍କ ବ୍ୟବହାର ପାଇଁ ବିଭିନ୍ନ ଛକସ୍ଥାନମାନଙ୍କ‌ରେ ଶୌଚାଳୟ ନିର୍ମାଣ କରାଯାଇଥିଲା। ଏଭଳି ଏକ ଶୌଚାଳୟ ସେକ୍ଟର-୨୦ ନମ୍ବର ପାଣିଟାଙ୍କି ସାମ୍ନା ହିଲଟିପ ନିକଟସ୍ଥ ରିଙ୍ଗରରୋଡ ପାର୍ଶ୍ବରେ ଅର୍ଥାତ୍‌ ହିଲଟପରୁ ଝିରିପାଣି ଯିବାର ରାସ୍ତାର ବାମପାର୍ଶ୍ବରେ ନିର୍ମାଣ ହୋଇଛି। ହେଲେ ୪ ବର୍ଷ ହେବ ଏହି ଶୌଚାଳୟ ଏକ ବୃଦ୍ଧ ଦମ୍ପତିଙ୍କ ଆଶ୍ରୟସ୍ଥଳୀ ପାଲଟିଛି।

ଆଲୋଡ଼ନର ବିଷୟ ହେଲା ଯେ, ଗୋଟେପଟେ ପାର୍କ ନିର୍ମାଣ ପାଇଁ ବସ୍ତିରୁ ଉଚ୍ଛେଦ ହୋଇ ଥଇଥାନ ନହୋଇ ଶୌଚାଳୟରେ ବୃଦ୍ଧ ଦମ୍ପତିଙ୍କ ଜୀବନ ବିତୁଥିବାବେଳେ ଅନ୍ୟପଟେ ଏହି ଶୌଚାଳୟ ସର୍ବସାଧାରଣ ତଥା ସ୍ଥାନୀୟ ବାସିନ୍ଦାଙ୍କ କାମରେ ଲାଗିପାରୁନି। ଏହି ଦମ୍ପତି ଆକାଶ ବାଘର ଓ ଜମା ବାଘର ନିଜର ଏଅବସ୍ଥା ବିଷୟରେ କୋହଭରା କଣ୍ଠରେ କହିଛନ୍ତି, ଆମର ଏ ଅବସ୍ଥା ବୁଝିବାକୁ କେହି ନାହାନ୍ତି।

ହିଲ୍‌ଟିପ୍‌ ନିକଟ ବସ୍ତି ଅଞ୍ଚଳରେ ଆମର ଭଙ୍ଗାକୁଡ଼ିଆ ଖଣ୍ଡେ ଥିଲା। ତାହା ବି ଦୀପାବାଳିରେ ଜଳି ଯାଇଥିଲା। କୌଣସି ପ୍ରକାରେ ରହୁଥିଲୁ। କିଛିଦିନ ପରେ ବସ୍ତି ଉଚ୍ଛେଦ ହୋଇଗଲା। ମେଣ୍ଟେନାନ୍ସ ଅଫିସରୁ ଆସିଥିବା ଅଧିକାରୀ କିଛିଦୂରରେ ଆମ ବସ୍ତିବାସିନ୍ଦାଙ୍କୁ ଜଗା ଦେଇ ଘର କରି ରହିବାକୁ କହିଗଲେ। ହେଲେ ଘର କରିବାକୁ ସମ୍ବଳ ଥିଲେ ସିନା । ଅନ୍ୟ ଉପାୟ ନପାଇ ବାଧ୍ୟ ହୋଇ ଏଠି ଆଶ୍ରୟ ନେଇଛୁ। ଏଠି ବି ପାଣି ବିଜଳି ବ୍ୟବସ୍ଥା ନାହିଁ। ବହୁକଷ୍ଟ ଆମର ଜୀବନ ବିତୁଛି।

ଆକାଶଙ୍କ ଦୁଇ ହାତ ଅଚଳ ଯୋଗୁ କୌଣସି କାମଧନ୍ଦା କରିବାରେ ସେ ଅସମର୍ଥ। ସେ ଠିକ୍ ଭାବରେ ଛିଡ଼ା ବି ହୋଇପାରୁନାହାନ୍ତି। ପତ୍ନୀ ଜମା ଏଠିସେଠି କାହା ଘରେ କାମ କରି ଯେତେକି ରୋଜଗାର କରୁଛନ୍ତି ସେତିକିରେ ଦୁଃଖକଷ୍ଟରେ ଚଳୁଛନ୍ତି। ଏଭଳି ଅବସ୍ଥାରେ ପ୍ରତିଦିନ ଦିଓଳି ଖାଇବାକୁ ମିଳିବା କଷ୍ଟକର ହୋଇପଡୁଥିବା କହିଛନ୍ତି ଆକାଶ।

ଆହୁରି କହନ୍ତି, ବିଧାତା ବି ଏତେ ନିଷ୍ଠୁର ଯେ ଯୁଆନକୁ ଛଡ଼ାଇ ନେଲା। ସ୍ତ୍ରୀ ଓ ବଢ଼ିଲା ଝିଅକୁ ନେଇ ଏବେ ଏଇଠି ପଡ଼ି ରହିଛୁ। କୋଉଠି କେମିତି ମୁଣ୍ଡ ଗୁଞ୍ଜିବା ପାଇଁ ଘରଖଣ୍ଡେ ମିଳିଲେ ଆମେ ଏଠି ଏଭଳି ଅସହାୟ ଅବସ୍ଥା ପଡ଼ି ରହନ୍ତୁନି ବୋଲି କହିଛନ୍ତି। ଏ ସଂକ୍ରାନ୍ତରେ ଆମ ପ୍ରତିନିଧି ମେଣ୍ଟେନାନ୍ସ ଅଫିସର ଅଧିକାରୀଙ୍କୁ ଭେଟି ପଚାରିବାରୁ ସେମାନଙ୍କ କଥାରେ କୌଣସି ପ୍ରକାର ତାଳମେଳ ରହି ନଥିଲାମେଣ୍ଟେନାନ୍ସ ଅଫିସର ଅଧିକାରୀ ସୁହିତ ବିଶ୍ବାସ ସରୋଜଙ୍କ ପଚରାଯିବାରୁ ଉଚ୍ଛେଦ ପରେ ଥଇଥାନ ପାଇଁ ତାଲିକାରେ ଯେଉଁମାନଙ୍କ ନାମ ଥିଲା ସେମାନଙ୍କୁ ଜାଗା ଦିଆଯାଇଛି। ଘର ତିଆରି କରିବା ତ ଆମର କାମ ନୁହେଁ। ଆମେ କ’ଣ କରି ପାରିବୁ ବୋଲି କହିଥିଲେ। ଅପରପକ୍ଷରେ ମେଣ୍ଟେନାନ୍ସ ଅଫିସର ଉଚ୍ଚ ଅଧିକାରୀ ଏସ୍.କେ ଦେଓଙ୍କ କହିଛନ୍ତି, ଏହି ଘଟଣା ମୋ ଦୃଷ୍ଟିକୁ ଆସି ନାହିଁ। ଏ ବିଷୟରେ ମୁଁ ଜାଣି ନାହିଁ। ଆରଏସପି ସଞ୍ଚାର ବିଭାଗ ମୁଖ୍ୟ ଅର୍ଚ୍ଚନା ଶତପଥୀଙ୍କ ବଚରାଯିବାରୁ ବସ୍ତି ଉଚ୍ଛେଦ ପରେ ଶୌଚାଳୟକୁ ଆଉ କେହି ବ୍ୟବହାର କରିଲେ ନାହିଁ।

ତେଣୁ ବିନା ଅନୁମତି‌ରେ ଉକ୍ତ ଦମ୍ପତି ସେଠାରେ ରହିବା ଆରମ୍ଭ କରିଥିଲେ। ଆକାଶକ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବା ସହିତ ସେ ଶାରୀରିକ ଭାବେ ଅକ୍ଷମ । ତେଣୁ ସେମାନେ ଯେ‌ତେବେଳେ ଶୌଚାଳୟରେ ଆଶ୍ରୟ ନେଲେ ତାଙ୍କୁ କେହି ବାରଣ କରି ନଥିଲେ।

Leave a Reply

Your email address will not be published. Required fields are marked *