ବର୍ଷକୁ ୧୦୦ କୋଟିର ଚୋରା ବାଲି କାରବାର: ଆନ୍ଧ୍ର, ଝାଡ଼ଖଣ୍ଡ, ଛତିଶଗଡ଼କୁ ହେଉଛି ଚାଲାଣ

ରାଜ୍ୟ
Spread the love

ଜଗତସିଂହପୁର : ଜିଲ୍ଲାରେ ବଢ଼ି ଚାଲିଛି ଚୋରା ବାଲି କାରବାର। କୋଟି କୋଟି ଟଙ୍କାର ଚୋରା ବାଲିରେ ଖେଳୁଛନ୍ତି ମାଫିଆ, ରାଜନେତା, ଅସାଧୁ ଅଫିସର। ଜିଲ୍ଲାରେ ବାର୍ଷିକ ୧୦୦ କୋଟିରୁ ଅଧିକ ଟଙ୍କାର ଚୋରା ବାଲି କାରବାର ହେଉଥିବା ଆକଳନ କରାଯାଇଛି। ମହାନଦୀର କିଲିପାଳ ଓ ଜଇପୁର ଘାଟରେ ଚଢ଼ଉ ପରେ ଚୋରା ବାଲି କାରବାର ଆଖି ଖୋଲି ଦେଇଥିଲା। ଏହି ମାମଲାରେ ଖଣି ଅଧିକାରୀଙ୍କୁ ନିଲମ୍ବିତ ମଧ୍ୟ କରାଯାଇଛି। କିନ୍ତୁ ବାଲି ମାଫିଆଙ୍କ କଳାଧନର ଏଯାଏଁ ଗୁମର ଖୋଲି ନାହିଁ। କେବଳ ଏହି ଦୁଇଟି ବାଲିଘାଟ ନୁହେଁ ଜଗତସିଂହପୁର ଜିଲ୍ଲାର ଅଧିକାଂଶ ବାଲିଘାଟର ସମାନ ଅବସ୍ଥା। ଜିଲ୍ଲାରେ ପ୍ରାୟ ୨୭ଟି ବାଲିଘାଟ ଥିବା ବେଳେ ୧୪ରୁ ଅଧିକ ଘାଟର ନିଲାମ ହୋଇଛି। ଘାଟକୁ ଯେତିକି ଅନୁମତି ମିଳିଛି ତା ଠାରୁ ଅଧିକ ପରିମାଣର ବାଲି ଉତ୍ତୋଳନ ଚାଲିଛି। ରାତି ତମାମ୍ ଜଗତସିଂହପୁର ସହର ଦେଇ ଶହଶହ ବାଲିବୋଝେଇ ଗାଡ଼ି ଧାଉଁଛି। ଜଗତସିଂହପୁର ନାଉଗାଁ, ବିରିଡ଼ି, ରଘୁନାଥପୁର, ତିର୍ତ୍ତୋଲ, କୁଜଙ୍ଗ, ବାଲିକୁଦା ଅଞ୍ଚଳରୁ ବାଲି ଚୋରା ଚାଲାଣ ଚାଲିଛି। ଗଞ୍ଜାମରେ ବାଲି ମାଫିଆଙ୍କ ଘରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ରେ ଚଢ଼ଉ ପରେ ଜଗତସିଂହପୁର ଜିଲ୍ଲାରେ ଚଢ଼ଉ ପାଇଁ ମଧ୍ୟ ଏବେ ଦାବି ଉଠୁଛି।

ତଥ୍ୟ ଅନୁସାରେ, ମାଫିଆଙ୍କ ଦ୍ବାରା ଜଗତସିଂହପୁର ଜିଲ୍ଲାର ଚୋରା ବାଲି କାରବାର ନିୟନ୍ତ୍ରଣ ହେଉଛି। ବାଲିଘାଟରୁ ଯେତିକି ଉତ୍ତୋଳନ କରିବାର ନିୟମ ରହିଥାଏ ତା ଠାରୁ ଯଥେଷ୍ଟ ଅଧିକ ଉତ୍ତୋଳନ କରାଯାଉଛି। ସେହିପରି ବିନା ଟିପି (ଟ୍ରାନଜିଟ ପାସ୍‌)ରେ ବାଲି ଚାଲାଣ କରଯାଉଛି। ପୂରା କାରବାରକୁ ମାଫିଆ

ନିୟନ୍ତ୍ରଣ କରୁଥିବା ବେଳେ ରାଜନେତା, ଅସାଧୁ ଅଫିସର (ଖଣି ବିଭାଗ, ଆର୍‌ଟିଓ, ପୁଲିସ, ତହସିଲ)ଙ୍କ ହାତ ଥିବା ଅଭିଯୋଗ ହୋଇଆସୁଛି। ସେହିପରି ନିର୍ଦ୍ଦିଷ୍ଟ ମାଫିଆ ଓ ବ୍ୟବସାୟୀ ଭୁବନେଶ୍ବରରେ ରହି ଚୋରା ବାଲି କାରବାରକୁ ନିୟନ୍ତ୍ରଣ କରୁଛନ୍ତି। ଚାନ୍ଦା ଭାଗବଣ୍ଟାରେ ବାଲି କାରବାର ଚାଲିଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ପାଇଁ ମାଫିଆଙ୍କୁ ନିର୍ଭୟ ପ୍ରତିଶ୍ରୁତି ମଧ୍ୟ ମିଳିଛି। ଫଳରେ ହାତଗଣତି ଦୁଇଟି ଘାଟରେ ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇଥିଲା। କିନ୍ତୁ ଅନ୍ୟ ଘାଟରେ ଏଯାଏଁ ହାତ ମରାଯାଇନି।

Leave a Reply

Your email address will not be published. Required fields are marked *