ଝଙ୍କଡ଼ : ସାରାରାଜ୍ୟରେ ବୈଷ୍ଣବୀୟ ପୀଠ ମାନଙ୍କରେ ଦୋଳଯାତ୍ରା ଅନୁଷ୍ଠିତ ହେଉଥିବାବେଳେ, ଏକମାତ୍ର ପରମ ବୈଷ୍ଣବୀ ଝଙ୍କଡ଼ର ଅଧିଷ୍ଠାତ୍ରୀଦେବୀ ମା ସାରଳା ଙ୍କ ପୀଠରେ ଆବାହମାନକାଳରୁ ଏହି ଦୋଳମେଳଣ ପର୍ବ ପାଳିତ ହୋଇଆସୁଅଛି l ଚତୁର୍ଦ୍ଦଶୀ ସୋମବାର ଦିନ ସନ୍ଧ୍ୟାରେ ଏହି ଉପଲକ୍ଷେ ମାଆଙ୍କର ଚଳନ୍ତିପ୍ରତିନିଧି ବିଜେପ୍ରତିମା ଙ୍କୁ ଏକ ସୁସଜ୍ଜିତ ମଣିମୟ ବିମାନ ଆରୋହଣ କରାଯାଇ ବର୍ଣ୍ଣାଢ୍ୟ ପଟୁଆର ମଧ୍ୟରେ, ପ୍ରାଚୀନ ପୀଠସ୍ଥଳି ବଡ଼ସରୋଳ ( ହରିପୁର ) ଗ୍ରାମର ଲଣ୍ଡାଦେଉଳ ସ୍ଥିତ ମେଳଣପଡିଆ କୁ ନିଆଯାଇଥିଲା l ସେଠାରେ ଚତୁଃପାର୍ଶ୍ଵରୁ ସହରର ରସିକଲାଲ, ତେନ୍ତୁଳିପଦା ର ଗୋପୀନାଥଜୀଉ, କନକପୁର ର ବ୍ରଜବିହାରୀ ଓ ଗୋବିନ୍ଦଜୀଉ, ମୂଳିସିଂହ ସିଂହସାହି ର ଗୋପୀନାଥ, ପଲଟନ ପଡିଆ ରୁ ରାଧାକାନ୍ତ ଙ୍କ ସମେତ କଣ୍ଟାପଡା, ଚିହ୍ନାପଡା, ହରିପୁର ବ୍ରାହ୍ମଣସାହି, ହରସିଂହପୁର, ପୂବପଡା ଓ ମହନପୁର ଆଦିର ରାଧାକୃଷ୍ଣ ଙ୍କ ବିମାନ ରୋଷଣୀ କରି, ମେଳଣପଡିଆ ରେ ପହଞ୍ଚିବା ପରେ ପୂଜାର୍ଚ୍ଚନା ଓ ଅବିରଲାଗି କରାଯାଇଥିଲା l

ସାରଳା ମନ୍ଦିର ପ୍ରଶାସନ ତରଫରୁ ପୂଜକ ଓ ସେବାୟତ ମାନେ ସମସ୍ତ ଦୋଳଠାକୁର ମାନଙ୍କ ମଧ୍ୟରେ ଯୋଗମାୟା ମା ସାରଳା ଙ୍କ ଦୋଳବିମାନ ଙ୍କୁ ବନ୍ଦାପନା କରାଯାଇ ଭୋଗଲାଗି କରିବା ପରେ ରାତି ତିନିଟା ପୂର୍ବରୁ ସ୍ୱପୀଠ କୁ ସମସ୍ତଦୋଳ ପ୍ରତ୍ୟାବର୍ତ୍ତନ କରିଥିଲେ l ତିନିତାରିଖ ସଂଧ୍ୟାରେ ଗ୍ରହଣ ଛାଡିବା ପରେ, ମାସାରଳା ଦଶଘଟ ସହିତ, ମନ୍ଦିର ସମ୍ମୁଖସ୍ଥ ଦୋଳମଣ୍ଡପ କୁ ବିଜେ କରିଥିଲେ l ଆଳତୀ, ପୂଜାର୍ଚ୍ଚନା ପରେ ମନ୍ଦିରର ଜଉତିଷ ଜ୍ୟୋତିର୍ବିତ ପ୍ରହ୍ଲାଦ ନାୟକ ନୂଆ ପାଞ୍ଜି ପାଠ କରିଥିଲେ l ତେବେ ମଙ୍ଗଳବାର ( ହୋଲି ) ଦିନ ସନ୍ଧ୍ୟାରେ ମନ୍ଦିରରେ ମାଆଙ୍କୁ ଅବିରଲାଗି କରାଯିବାପରେ ପୁନଃଶ୍ଚ ଦୋଳମଣ୍ଡପ କୁ ବିଜେ କରିଥିଲେ l ସେଠାରେ, ସାରଳା ଙ୍କ ବିମାନର ଉଭୟପାର୍ଶ୍ୱରେ ଗୋବିନ୍ଦଜୀଉ ଓ ରସିକିଲାଲ ଙ୍କ ବିମାନ ପୂର୍ବାଭିମୁଖୀ ହୋଇ ରଖାଯିବା ପରେ ଯମୁନାସ୍ନାନ ନିତି, ଆଳତୀ ଓ ପୂଜାର୍ଚ୍ଚନା କରାଯିବା ପରେ, ମା ସାରଳା ସିଂହାସନ ରେ ଅଭିଷିକ୍ତ ହେବାପରେ ବୈଷ୍ଣବମାନଙ୍କ ଦ୍ୱାରା ଗୀତିଗୋବିନ୍ଦ ଗାନ କରାଯାଇ ଥିଲା l ତେବେ ଅନ୍ୟକୌଣସି ଶକ୍ତିପୀଠ ରେ ଏପରି ଦୋଳମେଳଣ ର ପରମ୍ପରା ନଥିଲା ବେଳେ ମା ସାରଳା ଙ୍କ ପୀଠରେ, ଏହାର ପ୍ରଚଳନ, ଶାକ୍ତଧର୍ମ ଓ ବୈଷ୍ଣବଧର୍ମ ର ସମନ୍ୱୟତା କୁ ପ୍ରତିପାଦନ କରୁଛି l
