କେନ୍ଦୁଝର, : ଆଗାମୀ ଭାରତ ବୈଷୟିକ ଜ୍ଞାନକୌଶଳ, କୃତ୍ରିମ ମେଧା (AI) ଏବଂ ନବସୃଜନର ଭାରତ ହେବ। ଏହି ଦିଗରେ ଓଡ଼ିଶାର ଯୁବଶକ୍ତିକୁ ନିଜର ଦକ୍ଷତା ପ୍ରତିପାଦନ କରିବାକୁ ପରାମର୍ଶ ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଶନିବାର କେନ୍ଦୁଝରସ୍ଥିତ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ (ଜିସିଇ)ର ରୌପ୍ୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଅବସରରେ ମହାବିଦ୍ୟାଳୟ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଜିସିଇ କେନ୍ଦୁଝରଠାରେ ‘ଖଣି ଓ ଧାତୁ ବିଜ୍ଞାନର ଉତ୍କର୍ଷ କେନ୍ଦ୍ର’ (Center of Excellence) ପ୍ରତିଷ୍ଠା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
ନିଜ ଛାତ୍ର ଜୀବନର ସଂଘର୍ଷମୟ ଦିନଗୁଡ଼ିକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୧୯୯୫ ମସିହାରେ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନ ଉତ୍ତର ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ଆଶାର ପ୍ରତୀକ ସଦୃଶ। ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଲୋକଙ୍କ ସଙ୍କଳ୍ପ ଯୋଗୁଁ ଏହା ଆଜି ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଭାବେ ଉଭା ହୋଇଛି। ଏହି ମହାବିଦ୍ୟାଳୟର ପ୍ରାୟ ୬୫୦୦ରୁ ଅଧିକ ଛାତ୍ରଛାତ୍ରୀ ଦେଶ-ବିଦେଶରେ ସଫଳତାର ସହ କାର୍ଯ୍ୟ କରୁଛନ୍ତି। ବିଶେଷ କରି ଓଡ଼ିଶା ପ୍ରଶାସନିକ ସେବା (OCS) ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଏହି କଲେଜର ଛାତ୍ର ପ୍ରିୟାଂଶୁ ପାଲ୍ଙ୍କ ସଫଳତାକୁ ସେ ଶିକ୍ଷାନୁଷ୍ଠାନର ଗୌରବ ବୋଲି ଅଭିହିତ କରିଥିଲେ।
ଯୁବଶକ୍ତିକୁ ଦିଗଦର୍ଶନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, “କେବଳ ଚାକିରି ଖୋଜୁଥିବା ଆଶାୟୀ ନୁହେଁ, ବରଂ ନିଜେ ଉଦ୍ୟୋଗୀ ହୋଇ ନିଯୁକ୍ତି ସୃଷ୍ଟିକାରୀ ହୁଅନ୍ତୁ।” ରାଜ୍ୟର ଶିଳ୍ପାୟନ ସମ୍ପର୍କରେ ସୂଚନା ଦେଇ ସେ ଜଣାଇଥିଲେ ଯେ, ଗତ ଦୁଇ ବର୍ଷରେ ପ୍ରାୟ ୨.୮ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହୋଇଛି, ଯାହା ୨ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। ଓଡ଼ିଶାରେ ପ୍ରଚୁର ପରିମାଣରେ ‘ଥୋରିଅମ୍’ ସମ୍ପଦ ଗଚ୍ଛିତ ଥିବାରୁ ଭବିଷ୍ୟତରେ ଏଠାରେ ପରମାଣୁ ଶକ୍ତି କେନ୍ଦ୍ର ପ୍ରତିଷ୍ଠାର ଉଜ୍ଜ୍ୱଳ ସମ୍ଭାବନା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ।
ସାମାଜିକ ନ୍ୟାୟ ଓ ଶିକ୍ଷାର ବିକାଶ ଉପରେ ଗୁରୁତ୍ୱାରୋପ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଆଦିବାସୀ, ଦଳିତ ଓ SEBC ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଇଞ୍ଜିନିଅରିଂ ଓ ମେଡିକାଲ ଶିକ୍ଷାରେ ସଂରକ୍ଷଣ ବୃଦ୍ଧି କରାଯାଇଛି। ୨୦୩୬ ସୁଦ୍ଧା ଏକ ବିକଶିତ ଓଡ଼ିଶା ଗଠନରେ ଯୁବପିଢ଼ିଙ୍କ ଭୂମିକା ନିର୍ଣ୍ଣାୟକ ହେବ।
ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡାକ୍ତର ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଜିଲ୍ଲାପାଳ ବିଶାଳ ସିଂ, ବିପିୟୁଟି କୁଳପତି ପ୍ରଫେସର ଅମୀୟ କୁମାର ରଥ, ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ସେନାପତି ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସରୋଜ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
