ଇରାନ ସହ ଶାନ୍ତିଚୁକ୍ତି କଲେ ଟ୍ରମ୍ପ; କ’ଣ ହେବ ନେତାନ୍ୟାହୁଙ୍କ ଭବିଷ୍ୟତ?

ରାଜ୍ୟ
Spread the love

ତେଲ୍‌ଅଭିଭ୍‌: ଡୋନାଲ୍ଡ ଟ୍ରମ୍ପ ଓ ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ୍ ଏକ ମଧ୍ୟବର୍ତ୍ତିକାଳୀନ ଶାନ୍ତିଚୁକ୍ତିରେ ସ୍ୱାକ୍ଷର କରିବା ପରେ ଇରାନ ବିବାଦର ଆପାତତଃ ପରିସମାପ୍ତି ଘଟିଛି। ଟ୍ରମ୍ପ ଏହାକୁ ଆମେରିକା ପାଇଁ ଏକ ବଡ଼ ବିଜୟ ବୋଲି କହିଛନ୍ତି। କିନ୍ତୁ ଇରାନ ଏବେ ମଧ୍ୟ ମଥା ଉଚ୍ଚା କରି ଛିଡା ହୋଇଛି, ବିଶ୍ୱର ଦୁଇଟି ବୃହତ୍ତମ ସାମରିକ ଶକ୍ତି ଦ୍ୱାରା ଏକ ମାସ ଧରି ଚାଲିଥିବା ଆକ୍ରମଣରୁ ବଞ୍ଚିରହିଛି। ତଳେଇ ଦେଖିଲେ ଯୁଦ୍ଧରେ କାହାକୁ ବିଜୟ ମିଳି ନାହିଁ। କିନ୍ତୁ ଇସ୍ରାଏଲପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ପାଇଁ ଏହି ସଂଘର୍ଷ ଏକ ବିନାଶ ଓ ଏକ ରାଜନୈତିକ ବିପର୍ଯ୍ୟୟରେ ପରିଣତ ହୋଇଛି। ପ୍ରଶ୍ନ ହେଉଛି, ‘ବିବି’ (ନେତାନ୍ୟାହୁଙ୍କ ଡାକନାମ) ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି କି?
ଏହି ଅକ୍ଟୋବରରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନର ସମ୍ମୁଖୀନ ହେବାକୁ ଯାଉଛନ୍ତି ନେତାନ୍ୟାହୁ। ଗତ ତିନି ବର୍ଷ ମଧ୍ୟରେ ନେତାନ୍ୟାହୁ ଇରାନ, ଗାଜାରେ ହମାସ ଓ ଲେବାନନରେ ହେଜବୁଲ୍ଲା ସହିତ ସଂଘର୍ଷ କରିଛନ୍ତି। ସେ ଏକ ‘ନୂତନ ମଧ୍ୟପ୍ରାଚ୍ୟ’ର ପ୍ରତିଶ୍ରୁତି ଦେଇଛନ୍ତି। ତିନି ବର୍ଷ ଭିତରେ ଅନେକ ସାମରିକ ସଫଳତା ମିଳିଥିଲେ ମଧ୍ୟ ଏହି ସଂଘର୍ଷ ଇସ୍ରାଏଲ ପାଇଁ କୌଣସି ସ୍ଥାୟୀ ବିଜୟ ଆଣି ନାହିଁ। ହମାସ ତଥାପି ଗାଜାର ଏକ ଅଂଶକୁ ନିୟନ୍ତ୍ରଣ କରୁଛି, ହେଜବୁଲ୍ଲା ଲେବାନନରେ ବଞ୍ଚିଛି, ଆହତ ଇରାନ ଶାସନ ଏକ ନୂତନ ସର୍ବୋଚ୍ଚ ନେତା ଏବଂ ଅଧିକ ଶକ୍ତିଶାଳୀ ଇସଲାମିକ ରିଭଲ୍ୟୁସନାରି ଗାର୍ଡ (ଆଇଆର୍‌ଜିସି) ସହିତ ଅକ୍ଷୁଣ୍ଣ ରହିଛି।
ଅଧିକନ୍ତୁ ଇସ୍ରାଏଲ ଓ ଆମେରିକା ଇରାନ ସହିତ ଏକାଠି ଯୁଦ୍ଧ କରୁଥିବାବେଳେ ତେଲ୍ଅଭିଭ୍ ଶାନ୍ତିଚୁକ୍ତି ଆଲୋଚନାରୁ ଦୂରେଇ ରହିଥିଲା। ଟ୍ରମ୍ପଙ୍କ ଦ୍ୱାରା ମଧ୍ୟସ୍ଥି ଭାବରେ ପାକିସ୍ତାନକୁ ମନୋନୀତ କରାଯିବା ପରିସ୍ଥିତିକୁ ଆହୁରି ଖରାପ କରିଥିଲା। ଆମେରିକା ଓ ଇରାନ ମଧ୍ୟରେ ମଧ୍ୟବର୍ତ୍ତିକାଳୀନ ଚୁକ୍ତି ଇସ୍ରାଏଲର ଅନେକ ଲକ୍ଷ୍ୟ ପୂରଣ କରିନାହିଁ ଏବଂ ନେତାନ୍ୟାହୁଙ୍କୁ ଟ୍ରମ୍ପଙ୍କଠାରୁ ବିଚ୍ଛିନ୍ନ କରିଛି। ଏହି ଚୁକ୍ତିନାମା ମୂଳତଃ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ନିର୍ବାଚନର ଚାରିମାସ ପୂର୍ବରୁ ନିର୍ବାଚନୀ ପ୍ରସଙ୍ଗ କରିବାକୁ କୌଣସି ସଫଳତା ଛାଡି ନାହିଁ।
ଦୀର୍ଘ ଦିନ ଧରି ଚାଲିଥିବା ସଂଘର୍ଷ ‌ଦେଶ ଭିତରେ ଅର୍ଥନୈତିକ ଯନ୍ତ୍ରଣା ସୃଷ୍ଟି କରୁଥିବାରୁ ଟ୍ରମ୍ପ ବଢୁଥିବା ଚାପର ସମ୍ମୁଖୀନ ହୋଇଥିଲେ ଏବଂ ନଭେମ୍ବରର ମଧ୍ୟବର୍ତ୍ତୀ ନିର୍ବାଚନ ପୂର୍ବରୁ ତାଙ୍କର ଅନୁମୋଦନ ରେଟିଂ ହ୍ରାସ ପାଇଥିଲା। ତେଣୁ ଅନ୍ୟ ଉପାୟ ନ ପାଇ ଟ୍ରମ୍ପ ଇସ୍ରାଏଲର କୌଣସି ପରାମର୍ଶନ ନ ନେଇ ଶୀଘ୍ର ଏକ ଚୁକ୍ତି କରିଥିଲେ। ଫଳତଃ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଆରମ୍ଭରେ ବର୍ଣ୍ଣନା କରିଥିବା କୌଣସି ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଥିଲେ।
ଇରାନରେ ଏବେ ବି ଅତ୍ୟଧିକ ସମୃଦ୍ଧ ୟୁରାନିୟମ୍ ଅଛି। ଏହା ବ୍ୟତୀତ ଟ୍ରମ୍ପ ଏକ ବଡ଼ ୟୁ-ଟର୍ଣ୍ଣରେ ଏହା ମଧ୍ୟ କହିଛନ୍ତି ଯେ ଆମେରିକା ତେହେରାନ ଉପରେ ଏହାର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଛାଡିବାକୁ ଚାପ ପକାଇବ ନାହିଁ। ଇସ୍ରାଏଲକୁ ସବୁଠାରୁ ଅଧିକ ଉତ୍ତେଜିତ କରିଥିବା ବିଷୟ ହେଉଛି ଇରାନର ଦାବି ମାନି ଟ୍ରମ୍ପ ଲେବାନନକୁ ଏହି ଚୁକ୍ତିରେ ଅନ୍ତର୍ଭୁକ୍ତ କରିବା। ଏହା ଇସ୍ରାଏଲକୁ ଦେଶରେ ସାମରିକ ଅଭିଯାନ ଚଳାଇବାରୁ ପ୍ରଭାବଶାଳୀ ଭାବରେ ଲଗାମ ଲଗାଇଥାଏ। ପ୍ରତିବଦଳରେ ଇରାନ ଲେବାନନରେ ହେଜବୁଲ୍ଲା ସମେତ ଏହାର ପ୍ରକ୍ସି ଉପରେ ପ୍ରତିବନ୍ଧକ ଲଗାଇବାକୁ ରାଜି ହୋଇଛି।
ନେତାନ୍ୟାହୁଙ୍କ ପାଇଁ ଏହା ଏକ ଅପ୍ରତ୍ୟାଶିତ ଘଟଣା ଥିଲା। ଘରୋଇ ପ୍ରତିକ୍ରିୟାକୁ ନେଇ ଭୟଭୀତ ହୋଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଏହି ସପ୍ତାହ ଆରମ୍ଭରେ ଦୃଢୋକ୍ତି ପ୍ରକାଶ କରିଥିଲେ ଯେ ଇସ୍ରାଏଲ ବର୍ତ୍ତମାନ ଲେବାନନରେ ନିୟନ୍ତ୍ରଣରେ ଥିବା ଅଞ୍ଚଳରୁ ପ୍ରତ୍ୟାହାର କରିବ ନାହିଁ। ନିର୍ବାଚନ ପୂର୍ବରୁ ହୋଇଥିବା ଜନମତ ସର୍ଭେ ନେତାନ୍ୟାହୁଙ୍କ ପାଇଁ ଏକ ଗୋଲାପୀ ଚିତ୍ର ଆଙ୍କି ନାହିଁ। ଏହି ମାସ ଆରମ୍ଭରେ ପ୍ରକାଶିତ ଏକ ସର୍ଭେରୁ ଜଣାପଡିଛି ଯେ ତାଙ୍କର ଦକ୍ଷିଣପନ୍ଥୀ ମେଣ୍ଟ ହାରିବାକୁ ଯାଉଛି।
ନେତାନ୍ୟାହୁଙ୍କ କାର୍ଯ୍ୟକାଳର ବଡ଼ ତ୍ରୁଟି ହେଉଛି ଅକ୍ଟୋବର ୨୦୨୩ର ବିପୁଳ ସୁରକ୍ଷା ବିଫଳତା, ଯେତେବେଳେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଇସ୍ରାଏଲର ବିଖ୍ୟାତ ଗୁପ୍ତଚର ସେବା ହମାସ ଅପରେସନର ପୂର୍ବାନୁମାନ କରିପାରି ନ ଥିଲା, ଯେଉଁଥିରେ ପ୍ରାୟ ୧,୨୦୦ ଲୋକ ପ୍ରାଣ ହରାଇଥିଲେ। ଇରାନ ବିରୋଧରେ ଏକ ସଫଳ ଅଭିଯାନ ନେତାନ୍ୟାହୁଙ୍କ ପାଇଁ ସୁଯୋଗ ଆଣିଥାନ୍ତା ଯାହାକୁ ସେ ତାଙ୍କ ନିର୍ବାଚନ ରାଲିରେ ପ୍ରଚାର କରିପାରିଥାନ୍ତେ। କିନ୍ତୁ ତାହା ସମ୍ଭବ ହେଲା ନାହିଁ।

Leave a Reply

Your email address will not be published. Required fields are marked *