୧୩୩୦ ନିଯୁକ୍ତିଦାତା ପାଇବେ ୩୦.୫୯ କୋଟି

ରାଜ୍ୟ
Spread the love

ଭୁବନେଶ୍ବର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରୁ ‘ପ୍ରଧାନମନ୍ତ୍ରୀ ବିକଶିତ ଭାରତ ‌ରୋଜଗାର ଯୋଜନା’(ପିଏମ୍‌-ଭିବିଆର୍‌ୱାଇ) ଆରମ୍ଭ କରିବେ। ସେ ଦେଶର ୧୫ ଲକ୍ଷ ହିତାଧିକାରୀଙ୍କୁ ୨୪୦୦ କୋଟି ଟଙ୍କା ବାଣ୍ଟିବେ। ସେହି ଯୋଜନା ଅଧୀନରେ ଓଡ଼ିଶାର ୧୪,୪୩୦ ଜଣ ପ୍ରଥମ ଥର ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ୭,୩୭,୩୦,୭୫୨ ଟଙ୍କା ପ୍ରଦାନ କରାଯିବ। ତା’ସହିତ ରାଜ୍ୟର ୧୩୩୦ ନିଯୁକ୍ତିଦାତାଙ୍କୁ ମଧ୍ୟ ୩୦,୫୯,୧୪,୮୬୦ ଟଙ୍କା ଦିଆଯିବ।
ଏ ସମ୍ପର୍କରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ର ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ଭବିଷ୍ୟନିଧି ଆୟୁକ୍ତ (ଜୋନାଲ ଅଫିସ୍‌) ବିଜୟ କୁମାର ପ୍ରସାଦ କହିଥିଲେ, ଆସନ୍ତାକାଲି ରାଜ୍ୟର ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଓ କେନ୍ଦୁଝରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରି ଉଭୟ ନୂଆ କର୍ମଚାରୀ ଓ ନିଯୁକ୍ତିଦାତାଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ।
କେନ୍ଦ୍ର ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟର ଏହି ଯୋଜନାରେ ପ୍ରଥମ ଥର ଚାକିରି ପାଇଥିବା କର୍ମଚାରୀଙ୍କୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ଦିଆଯିବ। ପ୍ରତି ନୂତନ ନିଯୁକ୍ତି ପାଇଁ ନିଯୁକ୍ତିଦାତାଙ୍କୁ ମଧ୍ୟ ମାସିକ ୩୦୦୦ ଟଙ୍କା ଦିଆଯିବ। ଏହି ଯୋଜନାରେ ଦୁଇ ବର୍ଷ ମଧ୍ୟରେ ଦେଶରେ ୩.୫ କୋଟିରୁ ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ମାନୁଫାକ୍‌ଚରିଂ (ବିନିର୍ମାଣ) କ୍ଷେତ୍ର ପାଇଁ ଏହି ଯୋଜନା ୪ ବର୍ଷ ପର୍ଯ୍ୟନ୍ତ ଚାଲିବ ବୋଲି ସେ କହିଥିଲେ। ଏହି ଅବସରରେ ଇପିଏଫ୍‌ଓ ଆଞ୍ଚଳିକ କାର୍ଯ୍ୟାଳୟର ସହାୟକ ଆୟୁକ୍ତ (ଆଞ୍ଚଳିକ କାର୍ଯ୍ୟାଳୟ) ଅରବିନ୍ଦ ପ୍ରଧାନ ଓ ଆଞ୍ଚଳିକ ଆୟୁକ୍ତ (ଜୋନାଲ କାର୍ଯ୍ୟାଳୟ) ସୁଶାନ୍ତ କୁମାର ପାଢ଼ୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *