ହୋଷ୍ଟେଲ୍‌ରେ ଇଂଜିନିୟରିଂ ଛାତ୍ରୀ ଆତ୍ମହତ୍ୟା ଘଟଣା: ମନ୍ତ୍ରୀଙ୍କ ପୁତୁରା ଗିରଫ

ରାଜ୍ୟ
Spread the love

ବ୍ରହ୍ମପୁର: ବ୍ରହ୍ମପୁର ନିକଟ ଗୋଳନ୍ଥରା ନିକଟରେ ଏକ ଘରୋଇ ବୈଷୟିକ ମହାବିଦ୍ୟାଳୟର ମହିଳା ଅନ୍ତେବାସରୁ ଜଣେ ଇଂଜିନିୟରିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଛାତ୍ରୀଜଣକ ବୁଗୁଡ଼ା ଅଞ୍ଚଳର ସ୍ମୃତି ଭୋଳ ବୋଲି ଜଣାଯାଇଥିଲା। ଫାଶୀ ହୋଇଥିବାରୁ ପ୍ରାଥମିକ ତଦନ୍ତରେ ପୁଲିସ ଏହାକୁ ଆତ୍ମହତ୍ୟା କହିଥିଲା। ତେବେ ପରବର୍ତ୍ତୀ ସମୟରେ ଛାତ୍ରୀଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ କ୍ରମେ ପୁଲିସ ଆତ୍ମହତ୍ୟା ନିମନ୍ତେ ବାଧ୍ୟ କରିବା ଦଫାରେ ଛାତ୍ରୀଙ୍କ ଛାତ୍ରବନ୍ଧୁ ତଥା ଖଣିମନ୍ତ୍ରୀଙ୍କ ପୁତୁରା ବିଶ୍ବଜିତ ଜେନାଙ୍କୁ ଗିରଫ କରିଛି।
ବିଶ୍ବଜିତ୍‌ଙ୍କ ନାମରେ ଗୋଳନ୍ଥରା ଥାନାରେ ବିଏନଏସ୍ ଦଫା (ଆତ୍ମହତ୍ୟା ପ୍ରରୋଚନା) ମାମଲା ରୁଜୁ କରିଥିଲା। ମୃତକଙ୍କ ଲାପଟପ ଓ ମୋବାଇଲ ଜବତ କରାଯାଇଥିବା ସହ କଲ ଡିଟେଲସ୍ ରିପୋର୍ଟ ମାଗିଥିଲା। ଆଜି ରାତିରେ ବିଶ୍ବଜିତଙ୍କୁ ଗୋଳନ୍ଥରା ଥାନା ପୁଲିସ ଗିରଫ କରିଛି।
ଛାତ୍ରୀଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ କହିଛନ୍ତି ଯେ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପୁତୁରା ତଥା ଛାତ୍ରୀଙ୍କ ପୁରୁଷ ବନ୍ଧୁ ବିଶ୍ବଜିତ୍‌ ଜେନା ହିଁ ମୁଖ୍ୟ ଅଭିଯୁକ୍ତ ଓ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା। ପ୍ରେମ ଓ ପ୍ରତାରଣା ପାଇଁ ହିଁ ସ୍ମୃତି ମାନସିକ ଭାରସାମ୍ୟ ହରାଇଛନ୍ତି। କେବଳ ପରିବାର ନୁହନ୍ତି, ଛାତ୍ରୀଙ୍କ ଗାଁ ବୁଗୁଡ଼ା ବ୍ଲକ ବାଲିପଦରର ଜନତା ମଧ୍ୟ ଅନୁରୂପ ଭାବେ ଅଭିଯୋଗ କରି ବିଶ୍ବଜିତଙ୍କୁ ଗିରଫ କରାନଗଲେ ସୋମବାର ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଗିରଫ କରାଯିବ ବୋଲି ଧମକ ଦେଇଛନ୍ତି।
ସେହି ଶିକ୍ଷାନୁଷ୍ଠାନରେ ହିଁ ପାଠ ପଢ଼ୁଥିବା ସ୍ମୃତିଙ୍କ ବଡ଼ଭଉଣୀ କହିଛନ୍ତି, ବିଶ୍ବଜିତ ତାଙ୍କ ଭଉଣୀକୁ ଭଲ ପାଉଥିଲେ ଓ ବିବାହ ପ୍ରତିଶ୍ରୁତି ଦେଇଥିଲେ। ହେଲେ କିଛିମାସ ହେଲା ବ୍ଲାକମେଲିଂ କରିବା ସହ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଶୁକ୍ରବାର ରାତିରେ ବିଶ୍ବଜିତ୍‌ କଲ୍‌ କରି ସ୍ମୃତିଙ୍କୁ ଛାତ୍ରୀନିବାସ ବାହାରକୁ ଡାକିଥିଲେ। ଗତକାଲି (ଶନିବାର) ପୂର୍ବାହ୍‌ଣରେ ତାଙ୍କ ଝୁଲନ୍ତା ଶବ ମିଳିଥିଲା। ବିଶ୍ବଜିତ୍‌ ହିଁ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଛି ଓ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଛନ୍ତି।
ମାମୁ ମଙ୍ଗୁଳୁ ପ୍ରଧାନ ମଧ୍ୟ ଅନୁରୂପ କଥା କହିଛନ୍ତି, ଏକମାସ ହେଲା ସେ ପ୍ରେମକୁ ନେଇ ମାନସିକ ଚାପରେ ଥିଲେ। ଏକସପ୍ତାହ ତଳେ ଘରକୁ ଯାଇ ବି କିଛି କଥାବାର୍ତ୍ତା କରି ନଥିଲେ। ଏହା ଆତ୍ମହତ୍ୟା ନୁହେଁ, ବରଂ ଯୋଜନାବଦ୍ଧ ହତ୍ୟା। ଗତକାଲି ସ୍ମୃତିଙ୍କ ଝୁଲନ୍ତା ଶବ ମିଳିବା କ୍ଷଣି ବିଶ୍ବଜିତ ତରବରିଆ ଭାବେ ଆମ୍ବୁଲାନ୍ସ୍ ଡାକି ଶବକୁ ହସ୍ପିଟାଲ ନେଇଯାଇଥିଲେ। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ଆବଶ୍ୟକ।
ଏହି ଘଟଣାରେ ବିରୋଧୀ ବିଜେଡି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ବ୍ରହ୍ମପୁରରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀଙ୍କ ଇସ୍ତଫା ସହ ବିଚାରବିଭାଗୀୟ ଓ ନିରପେକ୍ଷ ତଦନ୍ତ ଦାବି କରିଛି। ମନ୍ତ୍ରୀ ଶ୍ରୀଜେନା ମାମଲାକୁ ପ୍ରଭାବିତ କରୁଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ତଦନ୍ତ ଚାଲିଛି, ସେ ଆଇନରେ ବିଶ୍ବାସ କରନ୍ତି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *