ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ଅତ୍ୟଧକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ସୋମବାର ସକାଳେ ପୁଣି ୨ଟି ସ୍ଲୁଇସ ଗେଟ୍ ଖୋଲାଯାଛି। ଫଳରେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବାମ ପାର୍ଶ୍ୱର ୧୧ ଓ ଡାହାଣ ପାର୍ଶର ୬ଟି ମିଶି ମୋଟ୍ ୧୭ଟି ସ୍ଲୁଇସ୍ ଗେଟ୍ ଜରିଆରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ବର୍ତ୍ତମାନ ଦିନ ୧୨ ଟା ସମୟରେ ପ୍ରାପ୍ତ ସୂଚନା ଅନୁସାରେ ଜଳଭଣ୍ଡାରର ଜଳସ୍ତର ୬୨୦.୩୫ ଫୁଟକୁ ବୃଦ୍ଧି ପାଇଥିବା ବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୩ ଲକ୍ଷ ୭୯ ହଜାର ୭୬୧ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି।
ଅପରପକ୍ଷରେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ହାରାହାରି ମୋଟ୍ ୨ ଲକ୍ଷ ୮୦ ହଜାର ୩୪୩ ଘନଫୁଟ ଜଳ ନିଷ୍କାସିତ ହେଉଛି। ସେଥିମଧ୍ୟରୁ ୧୭ଟି ସ୍ଲୁଇସ୍ ଗେଟ୍ ଜରିଆରେ ୨ ଲକ୍ଷ ୪୬ ହଜାର ୬୬୩ ଘନଫୁଟ ଏବଂ ବାକିତକ୍ ବିଭିନ୍ନ କେନାଲ, ବିଦ୍ୟୁତ୍ ଉତ୍ପାଦନ ପାଇଁ ପାଓ୍ବାର ଚ୍ୟାନେଲ ଓ ଶିଳ୍ପଭିତ୍ତିକ ବ୍ୟବହାର ଜଳ ନିଷ୍କାସିତ ହେଉଛି।
