ଭୁବନେଶ୍ବର: ରାଜ୍ୟ ପୁଲିସ ଭବନଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଡିଜିପି ଓ ଆଇଜିପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ଆଇନ ଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା ଓ ‘ସ୍ମାର୍ଟ ପୁଲିସିଂ’ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ‘ସୁରକ୍ଷିତ ଓଡ଼ିଶା, ସଶକ୍ତ ଓଡ଼ିଶା ଓ ସମୃଦ୍ଧ ଓଡ଼ିଶା’ ଗଠନ ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେବା ସହ ପୁଲିସ ସଂସ୍କାର ଓ ଆଧୁନିକୀକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି।
ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ମାର୍ଗଦର୍ଶନ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମହିଳା ବିରୋଧୀ ହିଂସା, ସଂଗଠିତ ଅପରାଧ ଓ ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ କଠୋର ‘ଜିରୋ ଟଲରେନ୍ସ’ ନୀତି କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମହିଳା ବିରୋଧୀ ହିଂସାରେ ଦଣ୍ଡବିଧାନ ହାର ୪୦ ପ୍ରତିଶତ ରୁ ଅତି କମ୍ରେ ୭୫%କୁ ବୃଦ୍ଧି କରିବାକୁ ସଙ୍କଳ୍ପ ନେବାକୁ ପରାମର୍ଶ ଦେଇଛନ୍ତି।
ସେହିଭଳି ୨୦୨୯ ସୁଦ୍ଧା ‘ନିଶାମୁକ୍ତ ଓଡ଼ିଶା’ ଗଠନ ପାଇଁ ନିଶା କାରବାରର ମୂଳ ସିଣ୍ଡିକେଟ୍ ଓ ଆର୍ଥିକ ଯୋଗାଣ ଶୃଙ୍ଖଳାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ଆହ୍ୱାନ ଦେବା ସହିତ ଆଗାମୀ ପାର୍ବଣ ଋତୁ ପୂର୍ବରୁ ବେଆଇନ ଜୋର୍-ଜବରଦସ୍ତି ଚାନ୍ଦା ଆଦାୟ ଓ ‘ଦାଦା ବଟି’ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
ପୁଲିସକୁ ଦେଖି ଅପରାଧୀ ଛାନିଆଁ ହେବେ, ନିର୍ଦୋଷ ନାଗରିକ ନୁହଁନ୍ତି”; ଥାନାକୁ ଆସୁଥିବା ସାଧାରଣ ନାଗରିକଙ୍କ ସହ ସହାନୁଭୂତିପୂର୍ଣ୍ଣ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୫୭୫ କିଲୋମିଟର ଦୀର୍ଘ ତଟରେଖାର ସୁରକ୍ଷା ପାଇଁ ଡ୍ରୋନ୍, ଟ୍ରଲର୍, ଇଣ୍ଟରସେପ୍ଟର ବୋଟ୍, ATV ଓ ପୂର୍ବତନ ସେନାକର୍ମୀଙ୍କ ନିୟୋଜନ କରାଯିବ। ସାଇବର ଠକେଇ ରୋକିବା ପାଇଁ ଆଧୁନିକ ଡିଜିଟାଲ ସର୍ଭେଲାନ୍ସ, ‘ଡାର୍କ ୱେବ୍’ ଉପରେ କଡ଼ା ନଜର ଓ ବ୍ୟାପକ ସଚେତନତା ସୃଷ୍ଟି କରାଯିବ।
NATGRID ଓ CCTNS ମାଧ୍ୟମରେ ଗୁଇନ୍ଦା ବ୍ୟବସ୍ଥା ସୁଦୃଢ଼ କରିବା ସହ ଥାନାଗୁଡ଼ିକର ଆଧୁନିକୀକରଣ ପାଇଁ ସ୍ୱତନ୍ତ୍ର ତଦନ୍ତ ଫଣ୍ଡ ମଞ୍ଜୁର। ଅପରାଧ ତଦନ୍ତ ପ୍ରକ୍ରିୟାକୁ ଅଧିକ ବୃତ୍ତିଗତ (Professional) ଓ ଆଧୁନିକ ଟେକ୍ନୋଲୋଜି-ଭିତ୍ତିକ କରିବା ଉପରେ ଗୁରୁତ୍ୱ ଦେବା ସହି ପୁଲିସ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଦୁର୍ନୀତିମୁକ୍ତ, ସ୍ୱଚ୍ଛ ଓ ସମର୍ପିତ ଭାବେ ପରିଚାଳନା କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
