ସାମ୍ବାଦିକଙ୍କୁ ମାଡ଼, ମୋବାଇଲ ଲୁଟ୍‌ : ୯ ମାସ ପରେ ଅଭିଯୁକ୍ତ ଗିରଫ !!

ରାଜ୍ୟ
Spread the love

ଝଙ୍କଡ଼ :   ସାମ୍ବାଦିକଙ୍କୁ ନିର୍ମମ ଆକ୍ରମଣ କରି ଦୁଇଟି ମୋବାଇଲ ଫୋନ୍‌ ଛଡ଼ାଇ ନେବା ଅଭିଯୋଗରେ ତିର୍ତ୍ତୋଲ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ତିର୍ତ୍ତୋଲ ଥାନା ଅଧୀନ କଟକଣା ଗ୍ରାମର ସ୍ୱର୍ଗତ ପଞ୍ଚୁ ମଲ୍ଲିକଙ୍କ ପୁଅ ଆଣ୍ଡୋ ଓରଫ ପ୍ରସନ୍ନ ମଲ୍ଲିକ।

ପୁଲିସ ସୂଚନା ଅନୁଯାୟୀ, ୨୪ ବର୍ଷୀୟା ସାମ୍ବାଦିକା ସୋନାଲି ପଣ୍ଡା ଙ୍କୁ ଅଭିଯୁକ୍ତ ଆଣ୍ଡୋ ଓରଫ ପ୍ରସନ୍ନ ମଲ୍ଲିକ ନିର୍ମମ ଭାବେ ଆକ୍ରମଣ କରିଥିଲେ। ଏହାପରେ ତାଙ୍କ ନିକଟରୁ ଦୁଇଟି ମୋବାଇଲ ଫୋନ୍‌ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ତିର୍ତ୍ତୋଲ ଥାନାରେ ୨୪ ଡିସେମ୍ବର ୨୦୨୫ରେ କେସ୍‌ ନମ୍ବର ୬୪୯ ରୁଜୁ ହୋଇଥିଲା।ମାମଲାରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୨୬(୨)/୧୧୫(୨)/୭୪/୩୦୯(୬)/୧୦୯/୩୨୪(୪)/୩(୫) ଅନୁଯାୟୀ ତଦନ୍ତ ଚାଲିଥିଲା।

ଦୀର୍ଘ ଦିନ ଧରି ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଚଳାଇଥିବା ବେଳେ ଆଜି ତିର୍ତ୍ତୋଲ ପୁଲିସ ଟିମ୍‌ ତାଙ୍କୁ ସଫଳତାର ସହ ଧରିଛି।
ପୁଲିସ କହିଛି, ଅଭିଯୁକ୍ତ ଆଣ୍ଡୋ ଓରଫ ପ୍ରସନ୍ନ ମଲ୍ଲିକ ଜଣେ ଅଭ୍ୟାସଗତ ଅପରାଧୀ। ତାଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୧୨୯ ଅନୁଯାୟୀ ପିଆର୍‌ (PR) ଦାଖଲ କରାଯାଇଛି।
ସାମ୍ବାଦିକଙ୍କ ଉପରେ ଆକ୍ରମଣ ଓ ମୋବାଇଲ ଲୁଟ୍‌ ଭଳି ଗୁରୁତର ଅଭିଯୋଗରେ ପୁଲିସର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *