ଝଙ୍କଡ଼ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ବିରିତୋଳ ପଞ୍ଚାୟତର ବେହେରାଛକ ନିକଟସ୍ଥ ଶ୍ରୀ ଶ୍ରୀ ହନୁମାନଜୀଉଙ୍କ ମନ୍ଦିର ପାର୍ଶ୍ୱରେ ଏକ ପ୍ରାର୍ଥନା ମଣ୍ଡପ ତଥା ଗୋଷ୍ଠୀକେନ୍ଦ୍ର ନିର୍ମାଣ କାର୍ଯ୍ୟ ବିଦ୍ୟୁତ୍ ତାର ଯୋଗୁଁ ଅଧପନ୍ତରିଆ ହୋଇ ପଡ଼ିରହିଛି। ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା ଅଧୀନରେ ବ୍ଲକ୍ ପ୍ରଶାସନ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ୪ ଲକ୍ଷ ୭ ହଜାର ଟଙ୍କାର ସରକାରୀ ଅନୁଦାନ ମଞ୍ଜୁର ହୋଇଥିବା ବେଳେ ମନ୍ଦିର କମିଟିକୁ ନିର୍ମାଣ ଦାୟିତ୍ୱ ନ୍ୟସ୍ତ କରାଯାଇଛି।
ମାତ୍ର ନିର୍ମାଣାଧୀନ ଗୃହ ଉପର ଦେଇ ବିପଜ୍ଜନକ ଭାବେ ବିଦ୍ୟୁତ୍ ତାର ଓ ଖୁଣ୍ଟ ରହିଥିବାରୁ କାର୍ଯ୍ୟ ଆଗେଇ ପାରୁନାହିଁ। ଏହି ତାର ଓ ଖୁଣ୍ଟ ସ୍ଥାନାନ୍ତର ପାଇଁ ମନ୍ଦିର କମିଟି ପକ୍ଷରୁ ସ୍ଥାନୀୟ ବିଦ୍ୟୁତ୍ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ନିବେଦନ କରାଯାଇଥିଲେ ମଧ୍ୟ ବିଭାଗ କୌଣସି କର୍ଣ୍ଣପାତ କରୁନାହିଁ। ଫଳରେ ସରକାରୀ ଅର୍ଥ ଆସିଥିଲେ ସୁଦ୍ଧା ଲୋକଙ୍କ ସୁବିଧା ପାଇଁ ଉଦ୍ଦିଷ୍ଟ ଏହି ଗୋଷ୍ଠୀକେନ୍ଦ୍ର ନିର୍ମାଣ ଅଟକି ରହିଛି।
ବିଭାଗୀୟ ଉଦାସୀନତା ଯୋଗୁଁ ନିରାଶ ହୋଇ ଶେଷରେ କମିଟି ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳଙ୍କ ସାପ୍ତାହିକ ଜନଶୁଣାଣି ଶିବିରରେ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇ ତୁରନ୍ତ ହସ୍ତକ୍ଷେପ ଲୋଡ଼ାଯାଇଛି। ଜିଲ୍ଲାପାଳ ଏହି ସମସ୍ୟା ଉପରେ କି ପଦକ୍ଷେପ ନେଉଛନ୍ତି ଏବଂ ବିଦ୍ୟୁତ୍ ତାର ସ୍ଥାନାନ୍ତର ହୋଇ କେବେ ଗୋଷ୍ଠୀକେନ୍ଦ୍ର ନିର୍ମାଣ କାର୍ଯ୍ୟ ଶେଷ ହେଉଛି, ତାହା ଉପରେ ଏବେ ସ୍ଥାନୀୟ ଗ୍ରାମବାସୀଙ୍କ ନଜର ରହିଛି।
