ଝଙ୍କଡ଼ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ କଟରା ପଞ୍ଚାୟତ ଅଧୀନ ବେଗୁନିଆ ଗ୍ରାମରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପବିତ୍ର ସୁନିଆଁ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଦୀର୍ଘ ସାତ ଦଶନ୍ଧି ଧରି ଏହି ଗ୍ରାମରେ ସୁନିଆଁ ପାଳନର ଏକ ସ୍ୱତନ୍ତ୍ର ପରମ୍ପରା ରହିଆସିଛି।
ଶ୍ରୀଶ୍ରୀ ଗଜପତି ମହାରାଜାଙ୍କ ୭୧ ଅଙ୍କ ତଥା ୧୪୭୪ ସାଲ ଅବସରରେ ଗ୍ରାମର ଆରାଧ୍ୟ ଦେବତା ବାବା ଗ୍ରାମେଶ୍ୱର ମହାଦେବଙ୍କ ମନ୍ଦିର ସମ୍ମୁଖରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାତଃ କାଳରୁ ଗ୍ରାମର ତ୍ରିଛକିଠାରେ ବିଧିବଦ୍ଧ ପୂଜାର୍ଚ୍ଚନା, ହରେକୃଷ୍ଣ ମହାମନ୍ତ୍ର ନାମ ସଂକୀର୍ତ୍ତନ ଏବଂ ବିଶ୍ୱକଲ୍ୟାଣ ଉଦ୍ଦେଶ୍ୟରେ ମହାଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା। ଏହାପରେ ବେଦଜ୍ଞ ବ୍ରାହ୍ମଣମାନଙ୍କ ଦ୍ୱାରା ବାବା ଗ୍ରାମେଶ୍ୱରଙ୍କ ନିକଟରେ ଷୋଡ଼ଶ ଉପଚାର ପୂଜା ଓ ରୁଦ୍ରାଭିଷେକ ସମ୍ପନ୍ନ ହୋଇଥିଲା। ତତ୍ପରେ ପାରମ୍ପରିକ ବିଧି ମୁତାବକ ମଧ୍ୟରାତ୍ରରେ ଏକ ସ୍ୱତନ୍ତ୍ର ପଣାହାଣ୍ଡି ପ୍ରସ୍ତୁତ କରାଯାଇ ନିର୍ଜନ ସ୍ଥାନରେ ଅଶରୀରୀ ପ୍ରେତ ଓ ଚଣ୍ଡୀ ଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଇଥିଲା।
ଏହି ସମସ୍ତ ପୂଜାର୍ଚ୍ଚନା ଓ କାର୍ଯ୍ୟକ୍ରମରେ ଯଜ୍ଞକର୍ତ୍ତା ଭାବେ ପ୍ରତାପ ଚନ୍ଦ୍ର ରାଉତ ଦାୟିତ୍ୱ ତୁଲାଇଥିବା ବେଳେ ଚାଇନା ପଣ୍ଡା ପୌରୋହିତ୍ୟ କରିଥିଲେ। ରଞ୍ଜନ ପଣ୍ଡା, ଧ୍ରୁବଚରଣ ପଣ୍ଡାଙ୍କ ସମେତ ଗ୍ରାମର ସମସ୍ତ ଯୁବକ, ଗ୍ରାମବାସୀ ତଥା ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
