କଟକ: କଟକ ଜିଲ୍ଲା ଜଗତପୁରସ୍ଥିତ ନିମପୁର ଖେଳ ପଡ଼ିଆଠାରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ୭୦ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହର ୧୪ ଓ ୧୭ ବର୍ଷରୁ କମ୍ ବୟସ ବର୍ଗର ବାଳକ କ୍ରିକେଟ ପ୍ରତିଯୋଗିତା ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ଚୌଦ୍ୱାର-କଟକ ବିଧାୟକ ଶ୍ରୀଯୁକ୍ତ ସୌଭିକ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପ୍ରତିଯୋଗିତାକୁ ଶୁଭାରମ୍ଭ କରିଥିଲେ। କ୍ରୀଡ଼ା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୃଙ୍ଖଳା, ଏକାଗ୍ରତା ଓ ନେତୃତ୍ୱ ନେବାର ଦକ୍ଷତା ବୃଦ୍ଧି କରିଥାଏ ବୋଲି ସେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।
ଏହି ଉଦ୍ଘାଟନୀ ସମାରୋହରେ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ବାରିକ ସଭାପତିତ୍ୱ କରିଥିଲେ। ମାହାଙ୍ଗା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରଧାନ ଏବଂ କଟକ ସଦର ବିଧାୟକ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୁବ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ଉତ୍ତମ କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥିଙ୍କ ମଧ୍ୟରେ ଜିଲ୍ଲା ସହକାରୀ ଶିକ୍ଷା ଅଧିକାରୀ ମନୋରଞ୍ଜନ ବାରିକ, ସନ୍ତୋଷ ସେଠୀ, ଅଭିଜିତ ଭାସ୍କର ଏବଂ ରାଜ୍ୟ ଭିନ୍ନକ୍ଷମ ସହକାରୀ ଶିକ୍ଷା ନିର୍ଦ୍ଦେଶକ ଭକ୍ତି ପ୍ରସାଦ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ।
ଏହି ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତାରେ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୧୧୦୦ ଜଣ ପ୍ରତିଭାବାନ ଛାତ୍ର ଖେଳାଳି ଅଂଶଗ୍ରହଣ କରିଛନ୍ତି। ସମଗ୍ର ପ୍ରତିଯୋଗିତାକୁ ସୁଚାରୁ, ନିରପେକ୍ଷ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ନିମନ୍ତେ ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ପ୍ରାୟ ୨୦୦ ଜଣ ପ୍ରଶିକ୍ଷିତ କ୍ରୀଡ଼ା ଶିକ୍ଷକ ତଥା ଅଧିକାରୀଙ୍କୁ ବିଭିନ୍ନ ଦାୟିତ୍ୱରେ ନିୟୋଜିତ କରାଯାଇଛି।
ଏହି ପ୍ରତିଯୋଗିତା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଉଦୀୟମାନ କ୍ରିକେଟ ଖେଳାଳିମାନଙ୍କ ପାଇଁ ନିଜର ଉତ୍କୃଷ୍ଟ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ ସହିତ ରାଜ୍ୟ ତଥା ଜାତୀୟ ସ୍ତରରେ ନିଜର କ୍ରୀଡ଼ା ପ୍ରତିଭା ପ୍ରତିପାଦନ କରିବା ନିମନ୍ତେ ଏକ ବଡ଼ ସୁଯୋଗ ସୃଷ୍ଟି କରିଛି। ସମସ୍ତ ମ୍ୟାଚ୍ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହେବା ସହ ଯୁବ ପ୍ରତିଭାମାନଙ୍କୁ ଆଗକୁ ବଢ଼ିବା ପାଇଁ ରାହା ଦେଖାଇବ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୁଶ୍ରୀ ସୌଦାମିନୀ ଦାସ ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷକ, କ୍ରୀଡ଼ାବିତ୍ ଏବଂ ସହଯୋଗୀଙ୍କୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।
