ଝଙ୍କଡ଼: ସର୍ବପ୍ରଥମ ଥର ପାଇଁ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ତଣ୍ଡିକୁଳ ନାଉଲସ୍ଥିତ ବାବା ଈଶାଣେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଆସନ୍ତା ନଭେମ୍ବର ୨୫ ତାରିଖ ବୁଧବାରଠାରୁ ୩୦ ତାରିଖ ସୋମବାର ପର୍ଯ୍ୟନ୍ତ ‘ଜଗନ୍ନାଥ ମହୋତ୍ସବ-୨୦୨୬’ ମହାସମାରୋହରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଉପଲକ୍ଷେ ଏକ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠାନର ମାର୍ଗଦର୍ଶକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜଙ୍କ ଅଧ୍ୟକ୍ଷତାରେ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।
ଯଦିଓ ବିଗତ ବର୍ଷମାନଙ୍କରେ ଏଠାରେ ଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା, ମାତ୍ର ଚଳିତ ବର୍ଷ ଏହାକୁ ଏକ ବ୍ୟାପକ ତଥା ଭବ୍ୟ ‘ଜଗନ୍ନାଥ ମହୋତ୍ସବ’ ଭାବରେ ପାଳନ କରାଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଅପାର ଉତ୍ସାହ ଓ ଖୁସିର ଲହରୀ ଖେଳିଯାଇଛି। ବିଶେଷକରି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ଉତ୍ସବରେ ମୁଖ୍ୟ ଉଦ୍ଘାଟକ ତଥା ମୁଖ୍ୟ ଅତିଥି ଭାବରେ ଯୋଗଦେଉଥିବାରୁ ଏହା ସମଗ୍ର ଅଞ୍ଚଳ ପାଇଁ ଗୌରବର ବିଷୟ ପାଲଟିଛି। ଉକ୍ତ ପ୍ରସ୍ତୁତି ବୈଠକରେ ଗଜପତି ମହାରାଜାଙ୍କ ଭବ୍ୟ ସ୍ୱାଗତ ନିମନ୍ତେ ଏକ ସ୍ୱତନ୍ତ୍ର ଅଭ୍ୟର୍ଥନା କମିଟି ଗଠନ କରାଯିବା ସହିତ ସମସ୍ତ କାର୍ଯ୍ୟକ୍ରମର ଶୃଙ୍ଖଳିତ ସୁପରିଚାଳନା ପାଇଁ ବିଭିନ୍ନ ଉପ-କମିଟି (ସବ୍-କମିଟି) ସର୍ବସମ୍ମତିକ୍ରମେ ଗଠନ କରାଯାଇଛି।
ମହୋତ୍ସବ ଅବସରରେ ପ୍ରତିଦିନ ସ୍କନ୍ଦ ପୁରାଣ ବର୍ଣ୍ଣିତ ‘ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ’ ପାରାୟଣ ଓ ପ୍ରବଚନ, ବିଶ୍ୱଶାନ୍ତି ମହାଯଜ୍ଞରେ ଆହୁତି ପ୍ରଦାନ, ଅହୋରାତ୍ର ନାମଯଜ୍ଞ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚବିଶ ବେଶ ଦର୍ଶନ, ଛପନଭୋଗ ମଣ୍ଡପ ପ୍ରଦର୍ଶନ, ମନୋଜ୍ଞ ଆଧ୍ୟାତ୍ମିକ ନୃତ୍ୟ-ସଙ୍ଗୀତ ପରିବେଷଣ ସହିତ ଶ୍ରୀଜଗନ୍ନାଥଜୀଉଙ୍କ ପବିତ୍ର ପୁସ୍ତକମେଳା ଓ ସମୂହ ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସମସ୍ତଙ୍କ ସହମତିରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ମହୋତ୍ସବରେ ଗଜପତି ମହାରାଜାଙ୍କ ସମେତ ପୂଜ୍ୟ ମହନ୍ତ ରାମକୃଷ୍ଣ ଦାସ ମହାରାଜ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମହେଶ୍ୱର ସାହୁ ଏବଂ ଧାରାବାହିକ ପ୍ରବକ୍ତା ତଥା ଶ୍ରୀଜଗନ୍ନାଥ ସଂସ୍କୃତିର ଜାତୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ମଧ୍ୟ ଅତିଥି ଭାବେ ଯୋଗଦେଇ ମଞ୍ଚମଣ୍ଡନ କରିବେ ବୋଲି ଆୟୋଜକମାନଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଉକ୍ତ ପ୍ରସ୍ତୁତି ବୈଠକରେ ଅନୁଷ୍ଠାନର ସଭାପତି ପର୍ଶୁରାମ ବିଶ୍ୱାଳ, ଧୀରେନ୍ଦ୍ର ପ୍ରସାଦ ଦାସ, ଦିବ୍ୟସୁନ୍ଦର ସାମଲ, ନିମାଇଁ ଚରଣ ମହାନ୍ତି, ସନ୍ତୋଷ କୁମାର ରାଉତ, ନରେଶ କୁମାର ସ୍ୱାଇଁ, ପ୍ରକାଶ ଦାସ ଓ ଜିଲ୍ଲା ଜଗନ୍ନାଥ ଭକ୍ତ ସମାଜର ସଭାପତି ଇଂ. ବିଷ୍ଣୁଚରଣ ସ୍ୱାଇଁଙ୍କ ସମେତ ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା, ସଦସ୍ୟ ଏବଂ ସ୍ଥାନୀୟ ଗ୍ରାମବାସୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସର୍ବାଙ୍ଗସୁନ୍ଦର କରିବା ନିମନ୍ତେ ନିଜ ନିଜର ମତାମତ ଓ ସୁଚିନ୍ତିତ ପରାମର୍ଶ ଉପସ୍ଥାପନ କରିଥିଲେ।
