୩ ଦିନ ପରେ ବଢ଼ିବ ଶୀତ, କଲବଲ କରିବ ଘନ କୁହୁଡ଼ି!

ରାଜ୍ୟ
Spread the love

ଭୁବନେଶ୍ବର : ରାଜ୍ୟରେ ଶୀତର ଲହରୀ ଲାଗି ରହିଛି। ସାମାନ୍ୟ ବ୍ରେକ୍‌ ପରେ ପୁଣି ଶୀତ ବଢ଼ିବାର ସମ୍ଭାବନା ରହିଛି। ଏଥିସହ ଘନ କୁହୁଡି ମଧ୍ୟ ରାଜ୍ୟବାସୀଙ୍କୁ କଲବଲ କରିବ। ସେଥିପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଆଗାମୀ ୩ ଦିନ ଯାଏଁ ଓଡ଼ିଶାର ଅନେକ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ତେଣୁ ଶୀତ କମିବାର ସମ୍ଭାବନା ରହିଛି। ୩ ଦିନ ପରେ ସର୍ବନିମ୍ନ ତାପମାତ୍ରର ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ। ଅର୍ଥାତ ଶୀତ ବଢ଼ିବାର ସମ୍ଭାବନା ରହିଛି। ଯାହାଫଳରେ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପାରେ।
ସେହିପରି ରାଜ୍ୟବାସୀଙ୍କୁ କୁହୁଡି କଲବଲ କରିବ। ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଝାରସୁଗୁଡ଼ା, ପୁରୀ, ସମ୍ୱଲପୁର, କଳାହାଣ୍ଡି, ଯାଜପୁର, ଭଦ୍ରକ, ଗଞ୍ଜାମ, ଗଜପତି, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ହେବାର ସମ୍ଭାବନା ରହିଛି। ସେଥିପାଇଁ ସତର୍କ ସୂଚନା ଜାରି କରାଯାଇଛି।
ସୂଚନାରୁ ପ୍ରକାଶ, ଗତ କିଛି ଦିନ ଧରି ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଯେଉଁଥିପାଇଁ ଜୀବନ ଯାତ୍ରା ଅସ୍ତବ୍ୟସ୍ତ କରିଛି। ତେବେ ଶୀତକୁ ବଳି ଯାଇଛି ଘନ କୁହୁଡି। ଗତ ଦୁଇ ଦିନ ହେଲା ରାଜଧାନୀ ଭୁବନେଶ୍ୱର ସମେତ ଅନେକ ଜିଲ୍ଲାରେ ସକାଳେ ଘନ କୁହୁଡି ହୋଇଥିବା ଦେଖିବାକୁ ମିଳୁଛି। ଯେଉଁଥିପାଇଁ ଅତି ନିକଟରୁ ଦେଖାଯାଉ ନାହିଁ।

Leave a Reply

Your email address will not be published. Required fields are marked *