ସାଲେପୁର : ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାୱାରର ମନମାନି ଏବଂ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ (OERC) ଜନବିରୋଧୀ ନୀତି ବିରୋଧରେ ସାଲେପୁରରେ ପ୍ରତିବାଦର ସ୍ୱର ତେଜିଛି। ୮ ଦଫା ଦାବିକୁ ନେଇ ଆଜି ସାଲେପୁର ବିଦ୍ୟୁତ ଡିଭିଜନ ଅଫିସ ସମ୍ମୁଖରେ ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଗଗନବିହାରୀ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଶହ ଶହ ଉପଭୋକ୍ତା ସାମିଲ ହୋଇ ବିଦ୍ୟୁତ ବିଭାଗର କାର୍ଯ୍ୟକଳାପକୁ କଡ଼ା ସମାଲୋଚନା କରିଛନ୍ତି।
ଏହି ଆନ୍ଦୋଳନର ବିଶେଷତ୍ୱ ଥିଲା ଯେ, ଦଳମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳର ନେତାମାନେ ଉପଭୋକ୍ତାଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏକାଠି ହୋଇଥିଲେ। ଓଡ଼ିଶା ବିଦ୍ୟୁତ ଉପଭୋକ୍ତା ମହାସଂଘର ରାଜ୍ୟ ସଭାପତି ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସରକାର ଓ ବିଦ୍ୟୁତ କମ୍ପାନୀର ମଧୁଚନ୍ଦ୍ରିକାକୁ ତୀବ୍ର ସମାଲୋଚନା କରିଥିଲେ। ତାଙ୍କ ସହ ସାଲେପୁର ଡିଭିଜନ ଉପଭୋକ୍ତା ସଙ୍ଘ ସଭାପତି ନନ୍ଦକିଶୋର ଭୂୟାଁ, ନିଶ୍ଚିନ୍ତକୋଇଲିର ରମାକାନ୍ତ ବେହେରା, ମାହାଙ୍ଗାର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ କୋଠପଦା ସେକ୍ସନର ଅଖିଳେଶ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନକୁ ଆଗେଇ ନେଇଥିଲେ। ବିଜେଡି ନେତା ଦିଲୀପ ଦାଶ, କଂଗ୍ରେସ ନେତା ମାସୁଦ ଅଲ୍ଲୀ, ବିଜେପି ନେତା କୁଞ୍ଜ ମୋହନ ସେଠୀ ଏବଂ ଡକ୍ଟର ଭାବଗ୍ରାହୀ ରାଉତ ମଧ୍ୟ ଏହି ପ୍ରତିବାଦ ସଭାରେ ସାମିଲ ହୋଇ ଟାଟା ପାୱାରର ‘ଜୁଲମ’ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ।
ଉପଭୋକ୍ତା ସଂଘ ପକ୍ଷରୁ କୁହାଯାଇଛି ଯେ, କମ୍ପାନୀ ଜୋରଜବରଦସ୍ତି ଲୋକଙ୍କ ଘରେ ‘ସ୍ମାର୍ଟ ମିଟର’ ଲଗାଇବା ବନ୍ଦ କରୁ। ଏଥିସହ:
- ଅତିରିକ୍ତ ଜମା ରାଶି (Security Deposit) ଦେବା ପାଇଁ ଉପଭୋକ୍ତାଙ୍କୁ ବାଧ୍ୟ କରାଯାଉ।
- ବିଦ୍ୟୁତ ଶୁଳ୍କ ହ୍ରାସ କରାଯାଉ।
- ଭୁଲ୍ ବିଲ୍ ଏବଂ ଜନସାଧାରଣଙ୍କ ସମସ୍ୟାର ତୁରନ୍ତ ସମାଧାନ ହେଉ।
ରାଜ୍ୟ ସଭାପତି ପଞ୍ଚାନନ କାନୁନଗୋ କହିଛନ୍ତି ଯେ, କମ୍ପାନୀର ଶୋଷଣ ବିରୋଧରେ ଉପଭୋକ୍ତାମାନେ ଏବେ ଜାଗ୍ରତ ହେବାର ସମୟ ଆସିଛି। ଯଦି ଦାବି ପୂରଣ ନହୁଏ, ତେବେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ବ୍ୟାପକ ହେବ।
ସଭା ଶେଷରେ ସଂଘ ପକ୍ଷରୁ ୮ ଦଫା ସମ୍ବଳିତ ଏକ ଦାବିପତ୍ର ସାଲେପୁର ବିଦ୍ୟୁତ ଡିଭିଜନର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ସାଲେପୁର ବିଦ୍ୟୁତ ଫାଇନାନ୍ସ ମ୍ୟାନେଜର ସୁରେଶ ଚନ୍ଦ୍ର ନନ୍ଦ କହିଛନ୍ତି ଯେ, ସଂଘର ଦାବିପତ୍ରକୁ ଗ୍ରହଣ କରାଯାଇଛି ଏବଂ ଏହାର ସମାଧାନ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ଏହି ପ୍ରତିବାଦ ସଭାରେ ସାଲେପୁର, ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ଅଞ୍ଚଳର ହଜାର ହଜାର ଉପଭୋକ୍ତା ସାମିଲ ହୋଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
