ଜୟଶୋଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ‘ମୋ ସ୍କୁଲ’ ଅଭିଯାନର ନୂତନ କମିଟି ଗଠିତ

ରାଜ୍ୟ
Spread the love

ଜୟଶୋଳ :  ସ୍ଥାନୀୟ ଜୟଶୋଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପୁରାତନ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟମାନଙ୍କୁ ନେଇ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଉର୍ମିଳା ପ୍ରଭା ବେହେରାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ଓଡ଼ିଶା ସରକାରଙ୍କ ‘ମୋ ସ୍କୁଲ’ ଅଭିଯାନକୁ ଅଧିକ କ୍ରିୟାଶୀଳ କରିବା ସହ ବିଦ୍ୟାଳୟର ବିକାଶ ପାଇଁ ଏକ ନୂତନ ପୁରାତନ ଛାତ୍ରଛାତ୍ରୀ କମିଟି ବା ‘ଆଲୁମିନି କମିଟି’ ଗଠନ କରାଯାଇଛି।

ସୂଚନାଯୋଗ୍ୟ ଯେ, ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ  ପ୍ରହଲ୍ଲାଦ  ସାହୁଙ୍କ ଇସ୍ତଫା ପରେ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ଏହି ନୂତନ କମିଟିର ଆବଶ୍ୟକତା ପଡ଼ିଥିଲା। ସର୍ବସମ୍ମତି କ୍ରମେ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ସାହୁଙ୍କୁ ଏହି ନୂତନ କମିଟିର ଅଧ୍ୟକ୍ଷ ଏବଂ ଶ୍ରୀଯୁକ୍ତ ସୁବୋଧ ଜେନାଙ୍କୁ ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ଅନ୍ୟାନ୍ୟ ସଦସ୍ୟ ଭାବେ ବାସନ୍ତୀ ସାମନ୍ତରାୟ, ଡକ୍ଟର ଜୟନ୍ତ କୁମାର ସାହୁ, ସରୋଜିନୀ ରଥ, ବିଶ୍ଵମ୍ବର ଭୋଇ ଏବଂ ନିରଞ୍ଜନ ରାଉତଙ୍କୁ କାର୍ଯ୍ୟକାରୀ କମିଟିରେ ସାମିଲ କରାଯାଇଛି।

ବୈଠକରେ ପ୍ରଧାନଶିକ୍ଷୟିତ୍ରୀ ବିଦ୍ୟାଳୟର ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ଗୁରୁତ୍ଵାରୋପ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏଥିସହ ସରକାରଙ୍କ ନୂତନ ନିୟମ ଅନୁଯାୟୀ ବିଦ୍ୟାଳୟର ‘ମୋ ସ୍କୁଲ ଅଭିଯାନ’ର ଆକାଉଣ୍ଟ ପରିଚାଳନା ଓ ଅନ୍ୟାନ୍ୟ ବୈଷୟିକ ଦିଗ ଉପରେ ଆଲୋଚନା କରାଯାଇଥିଲା।

ନବନିର୍ବାଚିତ ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ସଭାରେ ସ୍ଵାଗତ କରାଯିବା ସହ ବିଦ୍ୟାଳୟର ପ୍ରତିଷ୍ଠା ଓ ଶିକ୍ଷାଦାନର ମାନ ବୃଦ୍ଧି ପାଇଁ ଶପଥ ନିଆଯାଇଥିଲା। ଏହି ଅବସରରେ ବହୁ ପୁରାତନ ଛାତ୍ରଛାତ୍ରୀ ଯଥା ମମତା ଦାସ, ରବୀନ୍ଦ୍ର ନାଥ ସାହୁ, ଲୋକନାଥ ସାମନ୍ତରାୟ ଏବଂ ଖିରୋଦ ଚନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରାଯାଇଥିଲା।

Leave a Reply

Your email address will not be published. Required fields are marked *