ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମିଳୁନି ପେନସନ: CDA କାର୍ଯ୍ୟାଳୟ ସମ୍ମୁଖରେ ଅବସରପ୍ରାପ୍ତ କର୍ମଚାରୀଙ୍କ ଧାରଣା ୧୪ ଦିନରେ ପହଞ୍ଚିଲା

ରାଜ୍ୟ
Spread the love

କଟକ :  ନିଜର ନ୍ୟାଯ୍ୟ ହକ ପାଇଁ କଟକ ଉନ୍ନୟନ କର୍ତ୍ତୃପକ୍ଷ (CDA)ର ଅବସରପ୍ରାପ୍ତ କର୍ମଚାରୀମାନଙ୍କ ସଂଘର୍ଷ ଜାରି ରହିଛି। ବାଦାମବାଡ଼ି ସ୍ଥିତ ଅରୁଣ ଦେ ମାର୍କେଟ ପରିସରରେ ଥିବା ସିଡିଏ କାର୍ଯ୍ୟାଳୟ ସମ୍ମୁଖରେ ୫୦ରୁ ଉର୍ଦ୍ଧ୍ୱ ଅବସରପ୍ରାପ୍ତ କର୍ମଚାରୀଙ୍କ ଶାନ୍ତିପୂର୍ଣ୍ଣ ଧାରଣା ଆଜି ୧୪ ଦିନରେ ପହଞ୍ଚିଛି। ପେନସନ ପ୍ରଦାନରେ କର୍ତ୍ତୃପକ୍ଷଙ୍କ ଟାଳଟୁଳ ନୀତି ଏବଂ ମାନ୍ୟବର ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଉଥିବା ଅଭିଯୋଗ କରି ଏହି ଆନ୍ଦୋଳନ କରାଯାଉଛି।

ସୂଚନାଯୋଗ୍ୟ ଯେ, ୧୯୯୦ ମସିହାରୁ ୨୦୧୫ ମସିହା ମଧ୍ୟରେ ସିଡିଏରୁ ପ୍ରାୟ ୧୦୦ ଜଣ କର୍ମଚାରୀ ଅବସର ଗ୍ରହଣ କରିଛନ୍ତି। ଦୁଃଖର ବିଷୟ, ଦୀର୍ଘ ଦିନର ଅପେକ୍ଷା ଏବଂ ଆର୍ଥିକ ଅଭାବ ଅନାଟନ ମଧ୍ୟରେ ଗତି କରି ପ୍ରାୟ ୯ ଜଣ କର୍ମଚାରୀ ପେନସନ ନପାଇ ଆରପାରିକୁ ଚାଲିଗଲେଣି। ପେନସନ ପାଇଁ କର୍ମଚାରୀମାନେ ଆଇନର ଆଶ୍ରୟ ନେଇଥିଲେ ଏବଂ ମାନ୍ୟବର ଓଡ଼ିଶା ହାଇକୋର୍ଟ ତଥା ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ପରିସ୍ଥିତିକୁ ତର୍ଜମା କରି କର୍ମଚାରୀଙ୍କ ସପକ୍ଷରେ ରାୟ ଦେଇଛନ୍ତି। କିନ୍ତୁ ପ୍ରଶାସନ ପକ୍ଷରୁ ମାତ୍ର ଜଣେ କର୍ମଚାରୀଙ୍କୁ ପେନସନ ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ସମସ୍ତଙ୍କୁ ବଞ୍ଚିତ ରଖାଯାଇଛି। ଏହା ସିଧାସଳଖ ଭାବେ ନ୍ୟାୟାଳୟଙ୍କ ରାୟକୁ ଅବମାନନା ବୋଲି ସଂଘ ଅଭିଯୋଗ କରିଛି।

ଏହି ଆନ୍ଦୋଳନରେ ସାମିଲ ଥିବା ବିବେକାନନ୍ଦ ଦାସ, ମଧୁସୂଦନ ସ୍ୱାଇଁ, ଶରତ ଚନ୍ଦ୍ର ସିଂହ, ରବି ପ୍ରଧାନ, ଗଣେଶ୍ୱର ବେହେରା, ଲକ୍ଷ୍ମୀଧର ନାୟକ, ଅଞ୍ଜନା ସାହୁ, ବ୍ରଜ ସୁନ୍ଦର ରାଉତ, ବିନୟ କୁମାର ଦେ ଓ ଦିଲୀପ ପାତ୍ର ପ୍ରମୁଖ କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇଛନ୍ତି। ଯଦି ତୁରନ୍ତ କୌଣସି ସନ୍ତୋଷଜନକ ପଦକ୍ଷେପ ନିଆନଯାଏ, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ରତର ହେବ ଏବଂ ଅବସରପ୍ରାପ୍ତ କର୍ମଚାରୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଗଣମାଧ୍ୟମ ଜରିଆରେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *