ଶ୍ରମିକ ଦିବସରେ ଶ୍ରମଜୀବୀଙ୍କୁ ସମ୍ମାନ: ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଟ୍ରଲି ଓ ରିକ୍ସା ଚାଳକଙ୍କୁ ବସ୍ତ୍ର ସହ ଶ୍ରମ କାର୍ଡ ପ୍ରଦାନ

ରାଜ୍ୟ
Spread the love

କଟକ : ବିଶ୍ୱ ଶ୍ରମିକ ଦିବସ ଅବସରରେ ଶ୍ରମିକମାନଙ୍କ ସମ୍ମାନାର୍ଥେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ, ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ଅଭିନବ ତଥା ହୃଦୟସ୍ପର୍ଶୀ ପ୍ରୟାସ କରାଯାଇଛି। ସମାଜରେ ଅଣଦେଖା ହୋଇ ରହିଥିବା ପ୍ରକୃତ ଶ୍ରମଜୀବୀ ତଥା ଟ୍ରଲି ଓ ରିକ୍ସା ଚାଳକମାନଙ୍କୁ ସମ୍ମାନ ଜଣାଇବା ପାଇଁ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ଶାନ୍ତସାହି ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।

“ଆମ କର୍ମ ଆମ ପରିଚୟ” – ଏହି ମହତ ଉଦ୍ଦେଶ୍ୟକୁ ନେଇ କାର୍ଯ୍ୟ କରୁଥିବା ଏହି ଟ୍ରଷ୍ଟ ପକ୍ଷରୁ ଆଜି ଶହ ଶହ ଟ୍ରଲି ଓ ରିକ୍ସା ଚାଳକଙ୍କୁ ଫୁଲମାଳ ଦେଇ ସ୍ୱାଗତ କରାଯିବା ସହ ବସ୍ତ୍ର (ଲୁଙ୍ଗି, ଗାମୁଛା ଓ ଗଞ୍ଜି) ପ୍ରଦାନ କରାଯାଇଥିଲା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ମୁଣ୍ଡ ଝାଳ ତୁଣ୍ଡରେ ମାରି ସମାଜକୁ ସେବା ଯୋଗାଇ ଦେଉଥିବା ଏହି ଶ୍ରମିକମାନଙ୍କୁ ଆଜି ପ୍ରକୃତ ମାନ୍ୟତା ମିଳିଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଓ ଗୁରୁଜନମାନେ ମତ ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ, ସରକାରୀ ସୁବିଧା ପାଇବାରୁ ବଞ୍ଚିତ ଏହି ଶ୍ରମିକମାନଙ୍କ ପାଇଁ ଶ୍ରମ କାର୍ଡ଼ (Shram Card) ପ୍ରସ୍ତୁତିର ବ୍ୟବସ୍ଥା ମଧ୍ୟ ଟ୍ରଷ୍ଟ ପକ୍ଷରୁ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ତଥା ବିଶିଷ୍ଟ ସମାଜସେବୀ ଦମନ ମହାନ୍ତି, ସଂସ୍କୃତି ବିଭାଗୀୟ ଅଧିକାରୀ ସଂଜୀବ ତରାଇ, ଟ୍ରଷ୍ଟର ମୁଖପାତ୍ର ପ୍ରମୋଦ ନାୟକ, ପରାମର୍ଶଦାତା ନିମାଇଁ ଚରଣ କର, ନିଗମ ସାହୁ ଏବଂ ଭାବଗ୍ରାହୀ ସାହୁ ପ୍ରମୁଖ ଉପସ୍ଥିତ ରହି ଶ୍ରମିକମାନଙ୍କୁ ସମ୍ମାନିତ କରିଥିଲେ। ସମାଜର ନିମ୍ନବର୍ଗର ଲୋକଙ୍କ ପ୍ରତି ଟ୍ରଷ୍ଟର ଏହି ସେବାମୂଳକ କାର୍ଯ୍ୟକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *