ବଲାଙ୍ଗିର: ବଲାଙ୍ଗିର ସହର ଟିଟିଲାଗଡ଼ ରାସ୍ତା ସ୍ମାର୍ଟ ପାର୍କ ନିକଟ ବାଇପାସ୍ ରାସ୍ତାରୁ ବଲାଙ୍ଗିର ଟାଉନ ପୁଲିସ ଏକ ନେକ୍ସନ କାର ସହ ବିପୁଳ ପରିମାଣ କଫସିରପ୍ ଜବତ କରିଛି । ବେଆଇନ ଭାବେ କଫସିରପ୍ ଚାଲାଣ କରୁଥିବା ଅଭିଯୋଗରେ କଫସିରପ ଚାଲାଣ ରାକେଟର କିଙ୍ଗପିନ୍ ବିଦ୍ୟାଧର ସାହୁଙ୍କ ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ବଲାଙ୍ଗିର ତାଲପାଲିପଡ଼ାର ବିଦ୍ୟାଧର ସାହୁ (୨୦), ବରପାଲିପଡ଼ାର ଅଙ୍କିତ ପଟେଲ (୧୯), ବିଜେଶ ଜେନା (୧୯), ତୁଳସୀନଗରର ପ୍ରିୟାଂଶୁ ନନ୍ଦ (୧୯) ଓ କଟକ ଜିଲ୍ଲା ନରସିଂହପୁର ଥାନା ନରସିଂହପୁରର ସୁରେଶ କୁମାର ସାହୁ (୧୯)। ଅଭିଯୁକ୍ତମାନେ ନେକ୍ସନ କାରରେ କଫସିରପ ଚାଲାଣ କରୁଥିବା ଖବର ପାଇ ବଲାଙ୍ଗିର ଟାଉନ ପୋଲିସ ଗତ ଶନିବାର ରାତି ପ୍ରାୟ ୯ଟାରେ ବଲାଙ୍ଗିର ସ୍ମାର୍ଟ ପାର୍କ ନିକଟ ବାଇପାସ୍ ରାସ୍ତାରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ କାରରୁ ୪ଟି ବସ୍ତାରେ ଥିବା କଫସିରପ୍ ସହ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ କଫସିରପ୍ ଯାଞ୍ଚ କଲାରୁ ବସ୍ତାରେ ୮୮୦ ବୋତଲ ଏସକଫ କମ୍ପାନୀର କଫସିରପ୍ ବୋତଲ ବାହାରିଥିଲା ।କଫସିରପ ଚାଲାଣରେ ବ୍ୟବହୃତ କାର ସହ ୫ଟି ମୋବାଇଲ ଜବତ କରାଯାଇଛି । ଏ ନେଇ ବଲାଙ୍ଗିର ଟାଉନ ଥାନାରେ ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି । ବଲାଙ୍ଗିର ଏସଡିପିଓ ସରୋଜ କୁମାର ଉପାଧ୍ୟାୟ ସାମ୍ବାଦିକ ସମ୍ମିଳନୀରେ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଜବତ କଫସିରପର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧ ଲକ୍ଷ ୯୭ ହଜାର ୧୨୦ ଟଙ୍କା ହୋଇଥିବା ବେଳେ ଜବତ ମୋବାଇଲ ୨ ଲକ୍ଷ ଟଙ୍କା ଓ କାରର ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହୋଇଥିବା ନେଇ ସୂଚନା ଦେଇଛନ୍ତି । ଅଭିଯୁକ୍ତ ବିଦ୍ୟାଧର କଫସିରପ୍ ଚାଲାଣ ଘଟଣାର ମାଷ୍ଟରମାଇଣ୍ଡ ହୋଇଥିବା ପୋଲିସ ପ୍ରକାଶ କରିଛି ।ଅଭିଯୁକ୍ତ ବିଦ୍ୟାଧର ଗତ ବର୍ଷ ମଧ୍ଯ କଫସିରପ ଚାଲାଣ ଅଭିଯୋଗରେ ଗିରଫ ହୋଇ କୋର୍ଟ ଚଲାଣ ହୋଇଥିବା ଏସଡିପିଓ ପ୍ରକାଶ କରିଛନ୍ତି । ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ ସହ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଏସଡିପିଓ ଶ୍ରୀ ଉପାଧ୍ୟାୟ ସୂଚନା ଦେଇଛନ୍ତି । ବଲାଙ୍ଗିର ଟାଉନ ଥାନା ଅଧିକାରୀ ଅବନୀ ସାହୁ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ । ଥାନା ଅଧିକାରୀ ଶ୍ରୀ ସାହୁଙ୍କ ନେତୃତ୍ବରେ ଏସଆଇ ଦେବାଶିଷ ଶତପଥୀ, ଏସଆଇ ଚର୍ଚ୍ଚିଲ କୁମାର ମହାପାତ୍ର, ଏସଆଇ ବିଶାଖା ନାଏକ, ଏଏସଆଇ ବୈକୁଣ୍ଠ ଦେହେରୀ, ଏଏସଆଇ ଖୀତେଶ୍ୱର ପାଣ୍ଡେ, ହାବିଲଦାର ଯୋଗେଶ୍ୱର ମୁଗ୍ରୀଙ୍କ ସହ ବଲାଙ୍ଗିର ଟାଉନ ଥାନା କର୍ମଚାରୀ ଚଢ଼ଉରେ ସାମିଲ୍ ଥିଲେ।
