ଘଟଣାର ତଦନ୍ତ ପ୍ରକ୍ରିୟା ନିୟମ ଅନୁଯାୟୀ ଭି.କେ.ପାଣ୍ଡିଆନଙ୍କୁ ନୋଟିସ୍ କରାଯାଇଛି: ପୁଲିସ କମିସନର୍

ରାଜ୍ୟ
Spread the love

ଭୁବନେଶ୍ବର: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଏବଂ ଅନ୍ୟମାନଙ୍କ ହତ୍ୟା ଘଟଣାରେ ଜଷ୍ଟିସ୍ ନାଇଡ଼ୁ କମିସନ ଦେଇଥିବା ତଦନ୍ତ ରିପୋର୍ଟ ଏବଂ ସମ୍‌ ହସ୍ପିଟାଲ୍‌ ଅଗ୍ନିକାଣ୍ଡ ଘଟଣାର ଆର୍‌ଡିସି ତଦନ୍ତ ରିପୋର୍ଟ ହଜିବା ମାମଲାରେ ପୂର୍ବତନ ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ନୋଟିସ୍ ଜାରି ପ୍ରସଙ୍ଗରେ ପୁଲିସ କମିସନର୍ ଡକ୍ଟର୍ ସୁରେଶ ଦେବ ଦତ୍ତ ସିଂହ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଘଟଣାର ତଦନ୍ତପ୍ରକ୍ରିୟା ନିୟମ ଅନୁଯାୟୀ ଜାରି ରହିଛି ଏବଂ ଏହାକୁ ଗୁରୁତ୍ୱର ସହ ନିଆଯାଉଛି। ସିପିଙ୍କ ସୂଚନା ଅନୁଯାୟୀ, ଏହି ମାମଲାରେ ଦୁଇଜଣଙ୍କୁ ନୋଟିସ୍ ଜାରି କରାଯାଇଥିଲା। ସେଥିମଧ୍ୟରୁ ଜଣେ ବ୍ୟକ୍ତି ନିର୍ଦ୍ଧାରିତ ସମୟରେ ହାଜର ହୋଇ ତଦନ୍ତରେ ସହଯୋଗ କରିଥିଲେ । ତାଙ୍କ ବୟାନ ରେକର୍ଡ କରାଯିବା ସହ ଆବଶ୍ୟକୀୟ ତଦନ୍ତ କରାଯାଇଛି । ତେବେ ଅନ୍ୟଜଣେ ନୋଟିସ୍ ସତ୍ତ୍ୱେ ଏପର୍ଯ୍ୟନ୍ତ ହାଜର ହୋଇନାହାନ୍ତି । ଏଣେ ପୂର୍ବତନ ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ନୋଟିସ୍ ଜାରି କରାଯାଇଛି।
ଏନେଇ ପୁଣିଥରେ ନୋଟିସ୍ ଜାରି କରାଯିବ ବୋଲି ସିପି ସ୍ପଷ୍ଟ କରିଛନ୍ତି । ସେ ଆହୁରି କହିଛନ୍ତି, ଦ୍ୱିତୀୟ ନୋଟିସ୍ ପରେ ମଧ୍ୟ ଯଦି ସମ୍ପୃକ୍ତ ବ୍ୟକ୍ତି ହାଜର ନହୁଅନ୍ତି, ତେବେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରାଯିବ । ତଦନ୍ତକୁ ପ୍ରଭାବିତ ନକରି ସମସ୍ତ ଆଇନଗତ ପ୍ରକ୍ରିୟା ପାଳନ କରାଯିବ ବୋଲି କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, କ୍ୟାପିଟାଲ୍‌ ଥାନା ପୁଲିସ ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କୁ ନୋଟିସ୍ କରିଛି। ଆସନ୍ତା ୨୫ ତାରିଖ ପୂର୍ବାହ୍ଣ ୧୧ଟାରେ କ୍ୟାପିଟାଲ୍‌ ଥାନା ପରିସରରେ ଥିବା ଏସିପି ଜୋନ୍‌-୧ଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ତଦନ୍ତକାରୀ ଅଧିକାରୀ ବିପିନ ବିହାରୀ ହୋତା ନୋଟିସ୍ କରିଛନ୍ତି।
ଏହାସହ ତାଙ୍କ ପାଖରେ ଯଦି ଏହି ଦୁଇଟି ତଦନ୍ତ କମିସନ ଫାଇଲ୍‌ ସମ୍ପର୍କିତ କୌଣସି ଦଲିଲ୍‌, ରେକର୍ଡ, ଇଲେକ୍ଟ୍ରୋନିକ ଡିଭାଇସ୍ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ଅଛି, ତାକୁ ଆଣିବା ପାଇଁ କୁହାଯାଇଛି। ତଦନ୍ତରେ ସହଯୋଗ କରିବା ପାଇଁ ମଧ୍ୟ ନୋଟିସ୍‌ରେ କୁହାଯାଇଛି। ପାଣ୍ଡିଆନଙ୍କୁ ଥାନାରେ ହାଜର ହେବାକୁ ନୋଟିସ୍‌ ହେବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ବିଭିନ୍ନ ପ୍ରସଙ୍ଗରେ ପାଣ୍ଡିଆନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଜେପି ସରକାରର ମନ୍ତ୍ରୀ, ବିଧାୟକମାନେ ପୂର୍ବରୁ ବହୁବାର ବୟାନବାଜି କରୁଥିବାବେଳେ ଗତକାଲି ପ୍ରଥମ ଥର ପାଇଁ ପାଣ୍ଡିଆନଙ୍କୁ ଆଇନ ଫାଶକୁ ଟଣାଯାଇଛି।

Leave a Reply

Your email address will not be published. Required fields are marked *