ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଏବଂ ମଧୁବାବୁ ପେନସନ ଯୋଜନାରେ ନୂତନ ଭତ୍ତା ବଣ୍ଟିତ

ରାଜ୍ୟ
Spread the love

ଝଙ୍କଡ଼ ୧୩/୧୧:– ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୬ ଏବଂ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସରରେ ମହାସମାରୋହରେ ଆୟୋଜିତ ହୋଇଯାଇଛି। ମଣ୍ଡଳ ଉନ୍ନୟନ ଅଧିକାରୀ ରାଜୀବ ଲୋଚନ ଦୀକ୍ଷିତଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଳ୍ପ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ତିର୍ତ୍ତୋଲ ବିଧାୟକ ପ୍ରଫେସର ଡ. ରମାକାନ୍ତ ଭୋଇ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଜଳଧର ପ୍ରଧାନ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଅଜୟ କୁମାର ବସ୍ତିଆ, ବ୍ଲକ ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତି ଏବଂ ୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ରଞ୍ଜିତା ସିଂହ ପ୍ରମୁଖ ଯୋଗଦେଇ ହିତାଧିକାରୀମାନଙ୍କୁ ନୂତନ ଭତ୍ତା ବଣ୍ଟନ କରିଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନେ ବ୍ଲକ ପରିସରରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ସୁମଧୁର ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ଏଥିସହିତ ଅତିଥିମାନେ ଉପସ୍ଥିତ ଜନସାଧାରଣ ଏବଂ ଚାଷୀମାନଙ୍କୁ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମେଳାର ଉଦ୍ଦେଶ୍ୟ ଓ ସରକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।

ଏହି ଅବସରରେ ପ୍ରଥମ ପର୍ଯ୍ୟାୟରେ ମଧୁବାବୁ ପେନସନ ଯୋଜନାରେ ମୋଟ ୧୨୯୯ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ଭତ୍ତା ବଣ୍ଟନ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମରେ ବ୍ଲକ ପ୍ରୋଜେକ୍ଟ କୋଅର୍ଡିନେଟର ଜ୍ୟୋତ୍ସ୍ନାରାଣୀ ମନ୍ତ୍ରୀ ମଞ୍ଚ ସଞ୍ଚାଳନ କରିଥିବା ବେଳେ କାଜଲ କୁମାର ସାହୁ, ଅରବିନ୍ଦ ଦାସ, ଆର.ଏଚ୍. ଅଧିକାରିଣୀ ପ୍ରିୟମ୍ବଦା ମହାପାତ୍ରଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *