ଜଗତସିଂହପୁର/ଝଙ୍କଡ଼ : ଦିନକୁ ଦିନ ସମାଜ କଳୁଷିତ ଓ କଳଙ୍କିତ ହୋଇ ଚାଲିଥିବା ବେଳେ, ଶ୍ରୀମଦ୍ ଭାଗବତ ମହାପୁରାଣ ର ବାଣୀ ସମାଜର ସୁଧାର ଆଣିବା ସହିତ ମାନବଜୀବନର ସବୁ ସମସ୍ୟାର ଆଶୁ ସମାଧାନ ପାଇଁ ମାର୍ଗଦର୍ଶନ ପ୍ରଦାନ କରିଆସିଛି। ରାମ କୃଷ୍ଣ, ଜଗନ୍ନାଥ ଙ୍କ ଠାରୁ ଆରମ୍ଭ କରି ଯେତେ ଯୋଗଜନ୍ମା ଙ୍କୁ ଜଣେ ମାଆ ହିଁ ଜନ୍ମ ଦେଇଛି। ତେଣୁ ଅଦ୍ୟଗୁରୁ ମା ମାନେ ସଚେତନ ହୋଇ , ପିଲାମାନଙ୍କୁ ସଂସ୍କାରି କରି ଗଢି ତୋଳିବାର ଆବଶ୍ୟକତା ରହିଛି । ଗୀତା, ଭାଗବତ ର ପଠନ ଶ୍ରବଣ, ମନନ ଓ ଅନୁଶୀଳନ ଦ୍ଵାରା ବିଶ୍ଵର ସର୍ବବିଧ କଲ୍ୟାଣ ସାଧନ ହୋଇ ପାରିବ ବୋଲି, ତିର୍ତ୍ତୋଲ ବ୍ଲକ, ତୁଳଙ୍ଗ ପଞ୍ଚାୟତ ଅଧିନ ତଅଁରା ଗ୍ରାମ ସ୍ଥିତ ତୀର୍ଥମଠ ଠାରେ ଆୟୋଜିତ, ତ୍ରୟୋବିଂଶ ତମ ଶ୍ରୀମଦ୍ ଭାଗବତ ପାରାୟଣ ପ୍ରବଚନ ଜ୍ଞାନଯଜ୍ଞ ରେ ଧାରାବାହିକ ପ୍ରବଚକ ଭାବେ ଯୋଗଦେଇ , ଜଗନ୍ନାଥ ସଂସ୍କୃତି ର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ମତବ୍ୟକ୍ତ କରିଅଛନ୍ତି।

ତୀର୍ଥମଠର ମଠାଧୀଶ ଦିବ୍ୟକୃଷ୍ଣ ଦାସ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୨୨ ତାରିଖରୁ ଶୁଭାରମ୍ଭ ହୋଇ ଆସନ୍ତା ମାର୍ଚ୍ଚ ୨୮ ତାରିଖରେ ଉଦଯାପିତ ହେବ ବୋଲି ସୂଚନା ମିଳିଥିବାବେଳେ, ଭିନ ଭିନ୍ନ ଦିବସରେ ଭଦ୍ରଖର ବାଣୀ ସେବକ ହିମାଂଶୁ ଶେଖର ଦାସ, ବାବାଜୀ ଅମୃତାନନ୍ଦ ଦାସ ମହାରାଜ ସମେତ ବହୁ ସାଧୁ ସନ୍ଥ ମହାତ୍ମା ଓ ଜ୍ଞାନୀ ଗୁଣି ପଣ୍ତିତ ଓ ବିଦ୍ୱାନ ମାନେ ମଞ୍ଚାସିନ ହୋଇ ଭାଗବତ ର ତତ୍ତ୍ଵ ଦର୍ଶନ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।
ତଅଁରା ଗ୍ରାମବାସୀ ମାନଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ଏହି ମହାନ ଆଧ୍ୟାତ୍ମିକ ସାରସ୍ୱତ କାର୍ଯକ୍ରମ ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିଅଛି।
