ମାନବିକତାର ପରିଭାଷା: ଆଦିବାସୀ ବୃଦ୍ଧଙ୍କ ଶେଷ ଯାତ୍ରାରେ ସାଥି ସାଜିଲେ ସମାଜସେବୀ ଅଖିଳେଶ

ରାଜ୍ୟ
Spread the love

 ମାହାଙ୍ଗା (୧୩/୦୧): ସମାଜରେ ସେବା, ତ୍ୟାଗ ଓ ସମର୍ପଣର ମନୋଭାବ ହିଁ ଜଣେ ବ୍ୟକ୍ତିକୁ ପ୍ରକୃତ ମଣିଷ ଭାବେ ଗଢ଼ିତୋଳେ। ଏଭଳି ଏକ ବିରଳ ଉଦାହରଣ ଦେଖିବାକୁ ମିଳିଛି ମାହାଙ୍ଗା ଅଞ୍ଚଳରେ, ଯେଉଁଠି ଜଣେ ନିସ୍ୱାର୍ଥପର ସମାଜସେବୀ ଜଣେ ଅସହାୟ ଆଦିବାସୀ ବୃଦ୍ଧଙ୍କ ଶବକୁ କାନ୍ଧ ଦେଇ ସାମାଜିକ ପ୍ରତିବଦ୍ଧତାର ପରିଚୟ ଦେଇଛନ୍ତି।

ମାହାଙ୍ଗା ଥାନା ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଆଦିବାସୀ ବସ୍ତିର ବାସିନ୍ଦା ରବି ମୁଣ୍ଡା। ସେ ଜଣେ ଅତ୍ୟନ୍ତ ଗରିବ, ଭୂମିହୀନ ଦିନମଜୁରିଆ ହୋଇଥିଲେ ମଧ୍ୟ ଗ୍ରାମରେ ଜଣେ ମିଷ୍ଟଭାଷୀ, ଧର୍ମପ୍ରାଣ ଓ ପରୋପକାରୀ ବ୍ୟକ୍ତି ଭାବେ ପରିଚିତ ଥିଲେ। ଏକଦା ସେ କୁହୁଣ୍ଡା ପଞ୍ଚାୟତରୁ ୱାର୍ଡ ମେମ୍ବର ଭାବେ ନିର୍ବାଚିତ ହୋଇଥିଲେ ସୁଦ୍ଧା, ଜୀବନର ଶେଷ ସମୟ ପର୍ଯ୍ୟନ୍ତ ତାଙ୍କ ଭାଗ୍ୟରେ ଏକ ପକ୍କା ଘରଟିଏ ଜୁଟିନଥିଲା। ଝାଟିମାଟି ଓ ନଡ଼ା ଛପର କୁଡ଼ିଆରେ ରହି ସେ ନିଜର ଜୀବନ ଅତିବାହିତ କରୁଥିଲେ।

ଗତ ମଙ୍ଗଳବାର ପୂର୍ବାହ୍ନରେ ହୃଦଘାତ ଯୋଗୁଁ ରବିଙ୍କର ମୃତ୍ୟୁ ଘଟିଥିଲା। ଏହି ଶୋକାକୁଳ ପରିବେଶରେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ଆଗେଇ ଆସିଥିଲେ ବିଶିଷ୍ଟ ସମାଜସେବୀ ଅଖିଳେଶ ମହାନ୍ତି। ଅଖିଳେଶ କେବଳ ସେଠାରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେଇନଥିଲେ, ବରଂ ନିଜେ ବୃଦ୍ଧଙ୍କ ଶବକୁ କାନ୍ଧ ଦେଇ ଶ୍ମଶାନ ପର୍ଯ୍ୟନ୍ତ ଯାଇଥିଲେ। ବସ୍ତିର ଅନ୍ୟ ଲୋକମାନଙ୍କୁ ଏକତ୍ରିତ କରି ସେ ଶାସ୍ତ୍ରୀୟ ବିଧି ଅନୁଯାୟୀ ରବି ମୁଣ୍ଡାଙ୍କ ଅନ୍ତିମ ସତ୍କାର ସମ୍ପନ୍ନ କରାଇଥିଲେ।

ସୂଚନାଯୋଗ୍ୟ ଯେ, ଏହା ହେଉଛି ଅଖିଳେଶଙ୍କ ଜୀବନର ୭୨ତମ ଶବଦାହ କାର୍ଯ୍ୟ। ପୂର୍ବରୁ ମଧ୍ୟ ସେ ଅନେକ ଅସହାୟ ଓ ଅଜଣା ବ୍ୟକ୍ତିଙ୍କ ଶେଷ ଯାତ୍ରାର ସାରଥି ସାଜି ସମାଜରେ ଏକ ନୂତନ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ଏହି ଅବସରରେ ଶ୍ରୀ ମହାନ୍ତି କହିଛନ୍ତି ଯେ, “ଆଦିମ ଜନଜାତିର ମଣିଷମାନେ ଅତ୍ୟନ୍ତ ସରଳ ଓ ନିର୍ଲୋଭ। ସେମାନଙ୍କ ଦୁଃଖ ସମୟରେ ବନ୍ଧୁ ଭଳି ଛିଡ଼ା ହେବା ହିଁ ପ୍ରକୃତ ମାନବିକତା।”

ଅଖିଳେଶଙ୍କର ଏହି ମହାନ କାର୍ଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଜନତା ଉଚ୍ଚ ପ୍ରଶଂସା କରିଛନ୍ତି। ଯୁବ ସମାଜ ପାଇଁ ସେ ଏକ ପ୍ରେରଣାର ଉତ୍ସ ସାଜିଥିବା ବେଳେ, ତାଙ୍କର ଏହି ସେବା ମନୋଭାବ ସମାଜରେ ଭ୍ରାତୃଭାବକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *